ଜାରକାରେ ଫ୍ଲାଏ ଓଭର ଫାର୍ସ ! ନିର୍ବାଚନୀ ପ୍ରସଙ୍ଗ ପାଲଟିଛି ଗଳିପୋଲ, ଆନ୍ଦୋଳନ ଧମକ ଦେଲେ ଧର୍ମଶାଳା ବିଧାୟକ, ବିଜେପି କହିଲା ନିର୍ବାଚନୀ ଡ୍ରାମା ।

88

କନକ ବ୍ୟୁରୋ : ଯାଜପୁର ଜାରକା ଜାତୀୟ ରାଜପଥ ଗଳି ପୋଲକୁ ନେଇ ତେଜିଲା ରାଜନୀତି । ବିଧାୟକଙ୍କ ସହ ସ୍ୱର ମିଳାଇଲେ ସାଂସଦ । ଫ୍ଲାଇ ଓଭର ନିର୍ମାଣ ନହେଲେ ହେବ ଜୋରଦାର ଆନ୍ଦୋଳନ । ଲୋକେ କହିଲେ ବିଜେଡି ହେଉ କି ବିଜେପି ଦେବୁନି ଭୋଟ୍ । ସେପଟେ ବିଜପିର ପ୍ରଶ୍ନ ୨୩ ବର୍ଷ ଧରି କ୍ଷମତାରେ ଥିବା ଲୋକ ପ୍ରତିନିଧି କରୁଛନ୍ତି କଣ ? ସରକାରକୁ ଆସିଲେ ୬ମାସରେ ହେବ ଫ୍ଲାଇ ଓଭର ।

ଯାଜପୁର ଜିଲ୍ଳାର କ୍ରମବର୍ଦ୍ଧିଷ୍ଣୁ ସହର ଜାରକା । ଜାରକା ଜାତୀୟ ରାଜପଥର ଏକମାତ୍ର ଗଳି ପୋଲ ନିକଟରେ ଟ୍ରାଫିକ ସମସ୍ୟା ଲୋକଙ୍କ ନିଦ ହଜାଇ ଦେଉଛି । ବୌଦ୍ଧ କିର୍ତିରାଜି ଦେଖିବାକୁ ଆସୁଥିବା ପର୍ଯ୍ୟଟକ ହୁଅନ୍ତୁ ବା ସହରବାସୀ, ସମସ୍ତଙ୍କୁ ଏଇ ଗଳି ପୋଲ ପାଖରେ ଘଂଟା ଘଂଟା ଅଟକି ରହିବାକୁ ପଡେ । ଏବେ ଏହାକୁ ନେଇ ଧର୍ମଶାଳାରେ ଜୋରଧରିଛି ରାଜନୀତି । ଗଳି ପୋଲ ସମସ୍ୟା ୨୦୧୯ ନିର୍ବାଚନର ଏକ ପ୍ରମୁଖ ପ୍ରସଙ୍ଗ ହେବାକୁ ଯାଉଥିବା ବେଳେ ବିଜେଡି ହେଉ କି ବିଜେପି କାହାକୁ ଭୋଟ ଦେବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ସ୍ଥାନୀୟ ଲୋକେ ।

ଜାରକାରେ ଫ୍ଲାଏ ଓଭର ଫାର୍ସ । ନିର୍ବାଚନୀ ପ୍ରସଙ୍ଗ ପାଲଟିଛି ଗଳି ପୋଲ । ଯାଜପୁର ସାଂସଦ ରୀତା ତରାଇ ଗଳି ପୋଲକୁ ଫ୍ଲାଇ ଓଭର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରିଙ୍କୁ ଦାବୀ ପତ୍ର ଦେବା ସହ ସଂସଦ ଶୂନ୍ୟକାଳରେ ପ୍ରଶ୍ନ କରିଥିବା କହିଛନ୍ତି । ଅନ୍ୟପଟେ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ ଆଉ ପାଦେ ଆଗେଇ ଫ୍ଲାଇଓଭର ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସାଂସଦ ମଧ୍ୟ ବିଧାୟକଙ୍କ ସମର୍ଥନରେ ଅଂଟା ଭିଡିଛନ୍ତି । ଗଳି ପୋଲ ପାଇଁ ବିଜେଡିର ଗର୍ଜନ ନିର୍ବାଚନୀ ରାଜନୀତି ବୋଲି କହିଛି ବିଜେପି ।

ଏହାରି ଭିତରେ ଦୀଲ୍ଳିପ ବିଲ୍ଡକନ୍ ନାମକ ଏକ ସଂସ୍ଥା ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଆରମ୍ଭ କରିଛି । ନିର୍ମାଣ ଅବଧି ସରିବା ପୂର୍ବରୁ ଫ୍ଲାଇଓଭର ତିଆରି ନହେଲେ ବିକଶିତ ଜାରକା ସହର ୫୦ ବର୍ଷ ପଛକୁ ଚାଲିଯିବାର ଆଶଙ୍କା କରି ନିଜ ଅଂଚଳର ଅଧିକାର ପାଇଁ ଲଢେଇ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବ୍ୟବସାୟୀ । ସ୍ଥାନୀୟ ଲୋକଙ୍କ ହକ୍ ପାଇଁ ରାଜନୈତିକ ଲଢେଇ ଭିତରେ ଜାରକା ସହରରେ ଫ୍ଲାଇଓଭର ତିଆରି ହେଉଛି ନା କେବଳ ରାଜନୀତି ବୟାନବାଜିରେ ସୀମିତ ରହୁଛି ତାହା ସମୟ ହିଁ କହିବ ।