କଳାପଥରଖାଦାନର ସୁରକ୍ଷା ପାଇଁ ଜନସ୍ୱାର୍ଥ ମାମଲା କରିଥିବା ଯୁବକ ଆକ୍ରୋଶର ଶିକାର । ବିନା ସର୍ଚ୍ଚ ୱାରେଣ୍ଟରେ ଗିରଫ କରିଛି ପୋଲିସ ।

159

କନକ ବ୍ୟୁରୋ : ଯାଜପୁର ଜିଲ୍ଳା ଧର୍ମଶାଳା ତହସିଲ ରାହାଡପୁର କଳାପଥର ଖାଦାନ ଗୁଡିକର ସୁରକ୍ଷା ପାଇଁ ଜନସ୍ୱାର୍ଥ ମାମଲା କରିଥିବା ଯୁବକ ରାଜସ୍ୱ ଅଧିକାରୀଙ୍କ ଅକ୍ରୋଶର ଶୀକାର । ରମ୍ପେଇ ଗାଁର ବଳଦେବ ରାଉତଙ୍କ ଘରେ ବିନା ସର୍ଚ ୱାରେଂଟରେ ଖାନତଲାସ କରିବା ସହ ତାଙ୍କୁ ଗିରଫ କରିଛି ଜେନାପୁର ପୋଲିସ । ମିଥ୍ୟା ମାମଲାରେ ଫସାଇ ଦେବା ପାଇଁ ତହସିଲଦାରଙ୍କ ଷଡଯନ୍ତ୍ର ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର ପାହାଡର କେତେକ କଳାପଥର ସଇରାତକୁ ଲିଜ ଦିଆଯାଇଥିବା ବେଳେ ଅବଶିଷ୍ଟକୁ ମାଫିଆମାନେ ଲୁଟି ନେଉଛନ୍ତି । ୱାଗନ ଡ୍ରିଲ ସାଙ୍ଗକୁ ବ୍ଲାଷ୍ଟିଂ ଯୋଗୁଁ ଚାଷ ଜମି ପ୍ରଭାବିତ ହେଉଛି । ଏନେଇ ସ୍ଥାନୀୟ ଅଞ୍ଚଳର ବଳଦେବ ରାଉତ, ବିପିନ ମଲିକ ଓ ଅନ୍ୟ ଦୁଇ ଜଣ ହାଇକୋର୍ଟରେ ଜିଲ୍ଳାପାଳ ଓ ରାଜସ୍ୱ ବିଭାଗକୁ ପକ୍ଷ ଭୁକ୍ତ କରି ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ଏହି ମାମଲାର ଗୁରୁତ୍ୱକୁ ବୁଝି ଏପ୍ରିଲ ୫ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗତ ଫେବୃଆରୀ ୪ ତାରିଖରେ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଲା ଫେବୃଆରୀ ୪ ତାରିଖରେ । ଆବେଦନକାରୀଙ୍କୁ ଜିଲ୍ଲାପାଳ ଡାକିଲେ ସେପ୍ଟେମ୍ବର ୨ ତାରିଖରେ । ତେବେ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କାହିଁକି ଲାଗିଲା ୭ ମାସର ସମୟ ?

ଫେବୃଆରୀରେ କୋର୍ଟଙ୍କ ନିର୍ଦ୍ଦେଶ ଆସିଥିବା ବେଳେ ଦୀର୍ଘ ୭ ମାସ ପରେ ସେପ୍ଟେମ୍ବର ମାସରେ ଆବେଦନକାରୀଙ୍କୁ ଡକାଇଥିଲେ ଯାଜପୁର ଜିଲ୍ଲାପାଳ । ଅନ୍ୟପଟେ ଧର୍ମଶାଳାର ତହସିଲଦାର ଏକ ଫୋର୍ସ ଟିମ ସହ ରାଡପୁର ପାହାଡରେ ଅଭିଯୋଗ ହୋଇଥିବା କ୍ୱାରୀର ତଦନ୍ତ ନକରି ଅନ୍ୟ ସ୍ଥାନର ତଦନ୍ତ କରିଥିଲେ । ଆବେଦନକାରୀ ବଳଦେବ ରାଉତ ଏହାର ପ୍ରତିବାଦ କରିବାରୁ ତହସିଲଦାରଙ୍କ ଅଭିଯୋଗ କ୍ରମେ ତାଙ୍କୁ ମାଫିଆ ଦର୍ଶାଇ ଜେନାପୁର ପୁଲିସ ଗିରଫ କରି ଜେଲକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି ।

ପ୍ରଶ୍ନ ନମ୍ବର-୧
ବଳଦେବ କୌଣସି ପଥର ଉତୋଳନ କରୁନଥିବା ବେଳେ ମାଫିଆ ହେଲେ କେମିତି ?
ପ୍ରଶ୍ନ ନମ୍ବର-୨
ଜନସ୍ୱାର୍ଥ ମାମଲା କରିଥିବା ବ୍ୟକ୍ତି ତହସିଲଦାରଙ୍କୁ ବେଆଇନ ଖାଦାନ ଦେଖାଇବା ଅପରାଧ କି ?
ପ୍ରଶ୍ନ ନମ୍ବର-୩
ବିନା ସର୍ଚ୍ଚ ୱାରେଂଟରେ ଜେନାପୁର ପୁଲିସ ବଳଦେବଙ୍କ ଘରେ ପଶିଲା କେଉଁ ଅଧିକାରରେ ?
ପ୍ରଶ୍ନ ନମ୍ବର-୪
କେଉଁ ତଥ୍ୟ ଆଧାରରେ ବଳଦେବଙ୍କ ବିରୁଦ୍ଧରେ ସଙ୍ଗୀନ ଦଫା ଲଗାଇଛି ପୁଲିସ ?

ଅନ୍ୟପଟେ ରାହାଡପୁର ପାହାଡର କ୍ୱାରୀ ନମ୍ବର ୧୦ ଓ ୫ରେ ଠିକାଦାରି କରୁଥିବା ଅକ୍ଷୟ ପରିଡା ନାମକ ମାଫିଆ ସୀମା ବହିର୍ଭୂତ ଅଞ୍ଚଳରୁ ପଥର ଉତୋଳନ କରିବାରୁ ରାଣୀବନ୍ଦୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଟି ପୋତି ହୋଇପଡିଛି । ଏପରି ସ୍ଥିତିରେ ପାହାଡର ସୁରକ୍ଷା ପାଇଁ ଅଂଟା ଭିଡିଥିବା ବଳଦେବଙ୍କ ଗିରଫ ପଛରେ କାହାର ଚାପ ରହିଛି? ତହସିଲଦାର ଓ ଜେନାପୁରର ଥାନା ଅଧିକାରୀଙ୍କ ସ୍ୱଚ୍ଛତାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ ।