ନିୟମ ପରିବର୍ତ୍ତନ କଲେ ଯାଜପୁର ଜିଲ୍ଲାପାଳ: କେବଳ ରବିବାର ଖୋଲିବ ଗ୍ୟାରେଜ, ବହି ଓ ବିଦ୍ୟୁତ ମରାମତି ଦୋକାନ; ସାଇକେଲ ଦୋକାନ ସବୁଦିନ ଖୋଲା ରଖିବାକୁ ଅନୁମତି

ବିଦ୍ୟୁତ ଉପକରଣ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ

2,495

କନକ ବ୍ୟୁରୋ: ଜିଲ୍ଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ନିୟମ ପରିବର୍ତ୍ତନ କଲେ ଯାଜପୁର ଜିଲ୍ଲାପାଳ । କେବଳ ରବିବାର ଖୋଲା ରହିବ ଗ୍ୟାରେଜ , ବହି ଏବଂ ବିଦ୍ୟୁତ ମରାମତି ଦୋକାନ । ତେବେ ସାଇକେଲ ଦୋକାନ ସବୁଦିନ ଖୋଲା ରଖିବାକୁ ଅନୁମତି ଦେଇଥିବା ବେଳେ ବିଦ୍ୟୁତ ଉପକରଣ ଦୋକାନ ସଂପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ।

ପୂର୍ବରୁ ନିୟମରେ ଟିକେ କୋହଳ କରି ଏହି ସବୁ ଦୋକାନ ଖୋଲିବାକୁ କୁହାଯାଇଥିଲା । ତେବେ ଗତ ଦୁଇ ଦିନ ପୂର୍ବରୁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାପାଳ ଲକଡାଉନ କଟକଣାରେ କିଛି କୋହଳ କରିିଥିଲେ । ଜିଲ୍ଳାରେ ବହି ଦୋକା, ସାଇକେଲ ଓ ବାଇକ ଗ୍ୟାରେଜ ଓ ବିଦ୍ୟୁତ ସାମଗ୍ରୀ ମରାମତି ଦୋକାନ ଖୋଲାରହିବ ବୋଲି କହିଥିଲେ । ହେଲେ ଏଥିରେ ସାଧାରଣରେ ଅଧିକ ଭିଡ ପରିଲିକ୍ଷିତ ହେଉଥିବା ଦେଖିବାକୁ ମିଳିଥିଲା ।

ସେହିପରି ଯାଜପୁରରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଆଜି ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ଜିଲ୍ଳାପାଳ ବିଦ୍ୟୁତ ଉପକରଣ ଦୋକାନ ସଂପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସାଇକେଲ ମରାମତି ଦୋକାନ ସବୁଦିନ ଖୋଲାରଖିବାକୁ କହିଛନ୍ତି । ଏଥିସହ ବହି ଦୋକାନ,ଗ୍ୟାରେଜ, କେବଳ ରବିବାର ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।