ଭଦ୍ରକର ୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଯାଜପୁରର ୬ଜଣ: ଯାଜପୁର ଜିଲ୍ଲାପାଳଙ୍କ ସୂଚନା; କୋଲକାତାର ବଡବଜାର ଅଂଚଳରୁ ମାରୁତି ଓମନିରେ ୭ଜଣ ଆସିଥିଲେ ଓଡିଶା

2,838

କନକ ବ୍ୟୁରୋ: ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ସଠିପୁର ଅଂଚଳର ୬ ଜଣ ସଂସ୍ପର୍ଶରେ ଆସିଥିବା ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଗତ ୨୯ ତାରିଖରେ କୋଲାକାତାର ବଡବଜାର ଅଂଚଳରୁ ଏକ କାର ମାଧ୍ୟମରେ ୭ ଜଣ ବ୍ୟକ୍ତି ଓଡିଶା ଆସିଥିଲେ । ସେଥିମଧ୍ୟରୁ ଭଦ୍ରକର ନେଉଳିଆ ଛକଠାରେ ଜଣେ ବ୍ୟକ୍ତି ଓହ୍ଲାଇଥିବାବେଳେ ୬ ଜଣ ସଠିପୁର ଅଂଚଳରେ ଓହ୍ଲାଇଥିଲେ । ଭଦ୍ରକର ୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସେହି ଗାଡିରେ କୋଲକାତାରୁ ଆସିଥିବା ଜଣାପଡିବା ପରେ ସଂପୃକ୍ତ ବ୍ୟକ୍ତି ଅନ୍ୟ ୬ ଜଣ ଯାଜପୁର ଷଠିପୁର ଅଂଚଳର ବୋଲି କଥାବାର୍ତା ହେଉଥିବା କଥା ଜିଲ୍ଲାପାଳ କହିଚନ୍ତି । ସଂପୃକ୍ତ ୬ ଜଣ ବ୍ୟକ୍ତିଙ୍କ ସଂପୂର୍ଣ୍ଣ ସୂଚନା ନଥିବାରୁ ଜିଲ୍ଲାପାଳ ଗଣମାଧ୍ୟମ ଓ ସାଧାରଣ ଲୋକଙ୍କ ସହାୟତା ଲୋଡିଛନ୍ତି ।

ସେପଟେ, ବାଲେଶ୍ୱର ଓ ଭଦ୍ରକରେ ୭ଜଣ ପଜିଟିଭ୍ ଚିହ୍ନଟ ପରେ ସାମାନାକୁ ଆସିଲା କୋଲକାତା ଲିଙ୍କ୍ । ଭଦ୍ରକରୁ ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ୫ଜଣ ଆକ୍ରାନ୍ତ କୋଲକାତାରୁ ଆସିଥିବା ସେ ସୂଚନା ଦେଇଛନ୍ତି । ବାସୁଦେବପୁର ବ୍ଲକର ମଳକସାହି ପଦ୍ମପୁରର ୫୭ବର୍ଷୀୟ ଆକ୍ରାନ୍ତ ଜଣକ ମାର୍ଚ୍ଚ ୨୮ତାରିଖ ଦିନ କୋଲକାତାରୁ ବାସୁଦେବପୁର ଆସିଥିଲେ । ଟାଟା ମ୍ୟାଜିକରେ ଅନ୍ୟ ୩ଜଣଙ୍କ ସହ ଆସିଥିଲେ ବାସୁଦେବପୁରର ଆକ୍ରାନ୍ତ । ସେହିପରି ବାସୁଦେବପୁର ବ୍ଲକ ଖରିଡା ବିନାୟକପୁର ୫୮ବର୍ଷୀୟ ଆକ୍ରାନ୍ତ ଜଣକ ଜଣେ ଟ୍ରକ ଡ୍ରାଇଭର ଓ ସେ ଏପ୍ରିଲ ୯ତାରିଖ ଦିନ କୋଲକାତାରୁ ଫେରିଛନ୍ତି ।

ସେହିପରି ବାସୁଦେବପୁର ବ୍ଲକ ମାଟିପକା ଗାଁର ୫୫ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୯ତାରିଖ ଦିନ ବୋଲୋରେ ଯୋଗେ ଅନ୍ୟ ୭ଜଣଙ୍କ ସହ କୋଲକାତାରୁ ଫେରିଥିଲେ । ଭଣ୍ଡାରୀପୋଖରୀ ବ୍ଲକର ରାହାନିଆ ଗାଁର ୬୬ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୮ତାରିଖରେ ଟାଟା ଏସି ଯୋଗେ ଅନ୍ୟମାନଙ୍କ ସହ କୋଲକାତାରୁ ଫେରିଥିଲେ । ସେହିପରି ଭଣ୍ଡାରୀପୋଖରୀ ବ୍ଲକ କୁସାଗାଡିଆ ଟେସିଙ୍ଗା ଗାଁର ୪୮ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୯ତାରିଖ ଦିନ ମାରୁତି ଓମନି ଯୋଗେ ଅନ୍ୟ ୬ଜଣଙ୍କ ସହ କୋଲକାତାରୁ ଫେରିଥିଲେ ।