ଜମୁଛି ବ୍ୟାସ ସରୋବର ମହୋତ୍ସବ । ଭୌମ ଏକାଦଶୀରୁ ଆରମ୍ଭ ହୋଇଛି ମେଳା, ପୀଠରେ ପୂଜା ପାଉଛନ୍ତି ମହର୍ଷି ବେଦବ୍ୟାସ

114

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବ୍ୟାସନଗର ଉପକଣ୍ଠରେ ରହିଛି ପ୍ରସିଦ୍ଧ ବ୍ୟାସ ସରୋବର ପୀଠ । ମହର୍ଷି ବ୍ୟାସଦେବ ଏହିଠାରେ ମହାଭାରତର ଶେଷ ପର୍ବ ରଚନା କରିଥିବା ରହିଛି ଲୋକକଥା । କହିବାକୁ ଗଲେ ଏହି ପୀଠ ହେଉଛି ବ୍ୟାସ ଦେବଙ୍କ ପରମ ଭକ୍ତ ଓ ଉପାସକ ରାଘବ ଜୀଉଙ୍କ ସାଧନା ସ୍ଥଳୀ । ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କୁ ଏଠାରେ ଏକାଠି ପୂଜା କରାଯିବାର ରହିଛି ପରମ୍ପରା । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଭୌମ ଏକାଦଶୀ ତିଥିରୁ ହିଁ ଆରମ୍ଭ ହୋଇଛି ବ୍ୟାସ ସରୋବର ମେଳା ଓ ମହୋତ୍ସବ । ଶ୍ରଦ୍ଧାଳୁମାନେ ଏଠାକୁ ଆସି ଠାକୁର ଦର୍ଶନ କରିବା ସହ ମେଳା ବୁଲି ବେଶ ମଜା ଉଠାଉଛନ୍ତି ।

ଚଳିତବର୍ଷ ବେଶ୍ ଧୁମଧାମରେ ପାଳିତ ହେଉଛି ମହୋତ୍ସବ । ମେଳାରେ ପଡ଼ିଛି ବିଭିନ୍ନ ଦୋଳି ସାଙ୍ଗକୁ ମିନାବଜାର । ତା ସହ ଖୋଲିଛି ବିଭିନ୍ନ ପ୍ରକାରର ଖାଦ୍ୟ ଷ୍ଟଲ୍ । ଲୋକେ ମେଳା ବୁଲି ଘରକରଣା ସାମଗ୍ରୀ କିଣୁଛନ୍ତି । ପ୍ରତ୍ୟେକ ସଂନ୍ଧ୍ୟାରେ ନାମୀଦାମୀ କଳାକାରଙ୍କ ଦ୍ୱାରା ପରିବେଷଣ ହେଉଛି ମନୋରମ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଯାହାର ଭରପୁର ମଜା ଉଠାଉଛନ୍ତି ଦର୍ଶକ । ସେପଟେ ମେଳାରେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

୧୧ ଦିନ ଧରି ଚାଲିବାକୁ ଥିବା ଏହି ବ୍ୟାସ ସରୋବର ମେଳା ଓ ମହୋତ୍ସବକୁ ଭରପୁର ଉପଭୋଗ କରୁଛନ୍ତି ଦର୍ଶକ ।