କନକ ବ୍ୟୁରୋ: ଯାଜପୁର ବିଞ୍ଝାରପୁର ବ୍ଲକ ମାଂସଡା ଗାଁର ସୂର୍ଯ୍ୟକାନ୍ତ । ମହାମାରୀର ଶକ୍ତ ଆଘାତରେ ଆହତ ହୋଇ ବି ସେ ପାଇଛନ୍ତି ସଫଳତା । ସାରା ରାଜ୍ୟରେ ସେ ଆଜି ପାଇଛନ୍ତି ଏକ ସ୍ୱତନ୍ତ୍ର ପରିଚୟ, ଷ୍ଟାଚ୍ୟୁ ବୟର ପରିଚୟ । ମହାମାରୀ କରୋନା କାହାକୁ ସର୍ବସ୍ୱାନ୍ତ କରିଦେଇଛି ତ କାହାଠୁ ବୃତ୍ତି ଛଡାଇନେଇଛି । କାହାକୁ ଘୋର ବିପତ୍ତିକୁ ଠେଲି ଦେଇଛି ତ ଆଉ କାହାକୁ ସଫଳତାର ବାଟ ଦେଖାଇଛଇ । ଜୀବନର ଏମିତି କିଛି ଅଙ୍କାବଙ୍କା ରାସ୍ତାକୁ ପାର କରି ଶେଷରେ ଷ୍ଟାଚ୍ୟୁବୟ ପାଲଟିଯାଇଛନ୍ତି ସୂର୍ଯ୍ୟକାନ୍ତ ।
Advertisment
ପରିବାରର ବୋଝ ଉଠାଇବାକୁ ଯୁକ୍ତ ଦୁଇ ପଢା ଶେଷ ପରେ କେନ୍ଦୁଝରର ଏକ ବେସରକାରୀ ସଂସ୍ଥାରେ ଚାକିରି କରିଥିଲେ ସୂର୍ଯ୍ୟକାନ୍ତ । ହେଲେ କରୋନାରେ ଚାକିରି ଖଣ୍ଡକ ବି ହରାଇଲେ । ଆଉ ଘରେ ଆସି ଗୋଡ ହାତ ବାନ୍ଧି ବସିଲେ । ଏହା ଭିତରେ ମୋବାଇଲ ଦେଖୁଦେଖୁ ତାଙ୍କ ନଜର ପଡିଥିଲା ମୁମ୍ବାଇର ଜଣେ ଷ୍ଟାଚ୍ୟୁବୟଙ୍କ ଉପରେ । ଯିଏ ଷ୍ଟାଚ୍ୟୁ ହୋଇ ଛିଡା ହୋଇ ପେଟ ପୋଷୁଛନ୍ତି । ଏହି ଭିଡିଓ ତାଙ୍କ ପାଇଁ ପାଲଟିଯାଇଥିଲା ଏକ ପ୍ରେରଣା । ଲୁଚି ଲୁଚି ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିବାର ଅଭ୍ୟାସ କରିଥିଲେ  । ତାଙ୍କର ଏହି ପରିଶ୍ରମ ତାଙ୍କୁ ଆଣିଦେଇଛି ଏକ ସ୍ୱତନ୍ତ୍ର ପରିଚୟ ।
ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଏହାକୁ ସୁଧାରିବାକୁ ଷ୍ଟାଚ୍ୟୁ ବୟ ବନିଯାଇଛନ୍ତି ସୂର୍ଯ୍ୟକାନ୍ତ । କେବଳ ନିଜ ଜିଲ୍ଲା ନୁହେଁ ରାଜଧାନୀ ଭୁବନେଶ୍ୱର ସହ ବିଭିନ୍ନ ସହରକୁ ଯାଇ ନିଜର କଳାଚାତୁରୀ ଦେଖାଇ ଲୋକଙ୍କ ମନ ମୋହୁଛନ୍ତି ସୂର୍ଯ୍ୟକାନ୍ତ । ଏଥିରେ ତାଙ୍କୁ ମିଳୁଛି ଲୋକଙ୍କ ଢେର ଭଲପାଇବା ସହ ଭଲ ପରିଶ୍ରମିକ ।
ତାଙ୍କର ଏପରି ପ୍ରଚେଷ୍ଟାରେ ବାପା, ମା’ଙ୍କ ସହ ଗାଁ ଲୋକେ ନିଜକୁ ବେଶ୍ ଗର୍ବିତ ଅନୁଭବ କରୁଛନ୍ତି । ଏବେ ସାରା ରାଜ୍ୟରେ ସେ ଷ୍ଟାଚ୍ୟୁ ବୟ ଭାବେ ପରିଚିତ ।