କନକ ବ୍ୟୁରୋ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ଭୋଟ ଗଣତି ପରେ ଯାଜପୁର ଲୋକସଭା ଅଧୀନସ୍ଥ ସମସ୍ତ ବିଧାନସଭା ଆସନରେ ବିଜେଡି ବାଜିମାତ କରିଛି। ପ୍ରଶାସିକା ଚାକିରି ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାଇଥିବା ଶର୍ମିଷ୍ଠା ସେଠୀ ବିପୁଳ ଭୋଟ ବ୍ୟବଧାନରେ ସାଂସଦ ରୂପେ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଅମିୟ ମଲ୍ଲିକଙ୍କୁ ପରାସ୍ତ କରିଛନ୍ତି। କଂଗ୍ରେସର ମାନସ ଜେନା ବହୁ ପଛରେ ରହିଛନ୍ତି।
ଯାଜପୁରର ୭ଟି ବିଧାନସଭା ଆସନ ମଧ୍ୟରୁ କୋରେଇ ଓ ବରୀରେ ନୂଆମୁହଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ହେଁ ବିଜେଡିକୁ କୌଣସି ଫରକ ପଡ଼ିନାହିଁ। ବିଜେଡି ସବୁଯାକ ଆସନ ପୋଛି ନେଇଛି। ଯାଜପୁରର ୭ଟି ଆସନ ମଧ୍ୟରୁ ୫ଟିରେ ବିଜେଡି ଓ ଦୁଇଟିରେ କଂଗ୍ରେସ ଓ ବିଜେପି ବିଜୟୀ ହେବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ପୁଣି ଭୁଲ ପ୍ରମାଣିତ ହୋଇଛି।
ଯାଜପୁର ନିର୍ବାଚନ ମଣ୍ଡଳୀରେ ପ୍ରଣବ ପ୍ରକାଶ ଦାସ ତାଙ୍କ ନକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଗୌତମ ରାୟଙ୍କୁ ପରାସ୍ତ କରିଥିବା ବେଳେ ଧର୍ମଶାଳାରେ ପ୍ରଣବ ବଳବନ୍ତରାୟ ବିଜୟୀ ହୋଇଛନ୍ତି। ବିଂଝାରପୁରରେ ପ୍ରମିଳା ମଲ୍ଲିକ ତାଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବବିତା ମଲ୍ଲିକଙ୍କୁ ପରାସ୍ତ କରିଥିବା ବେଳେ ବଡ଼ଚଣାରେ ଅମରପ୍ରସାଦ ଶତପଥୀ ବିଜୟୀ ହୋଇଛନ୍ତି। ସୁକିନ୍ଦାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ପୁତ୍ର ଇଂ ପ୍ରୀତିରଂଜନ ଘଡ଼ାଇ ପୁଣି ଥରେ ବିଜୟୀ ହୋଇଛନ୍ତି। କୋରେଇରେ ଅଶୋକ ବଳ ଏବଂ ବରୀରେ ସୁନନ୍ଦା ଦାସ ନୂଆ ମୁହଁ ହୋଇଥିଲେ ହେଁ ସୁନନ୍ଦା ବିଜେପି କ୍ୟାମ୍ପ ଛାଡ଼ି ବିଜେଡିରେ ଯୋଗଦେଇ ବିଜୟୀ ହୋଇ ପାରିଛନ୍ତି। ପ୍ରମିଳା, ବବି, ପ୍ରଣବଙ୍କ ଭୋଟ ବ୍ୟବଧାନ କମିଥିବା ବେଳେ ଡାନିଙ୍କ ଭୋଟ ବ୍ୟବଧାନ ବଢ଼ିଛି। ଦୁଇ ନୂଆମୁହଁ ମଧ୍ୟ ସେମାନଙ୍କ ବିଜୟୀକୁ ସୁଗମ କରିପାରିଛନ୍ତି।
ବିଂଝାରପୁରର ଆସନରୁ ପ୍ରମିଳା ମଲିକ ଷଷ୍ଠଥର ପାଇଁ ବାଜିମାତ କରିଛନ୍ତି। ଥରେ ଜନତା ଦଳରୁ ଏବଂ ପାଞ୍ଚ ପାଞ୍ଚ ଥର ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇ ବିଜୟ ହାସଲ କରିଛନ୍ତି। ଶାସକ ଦଳର ମୁଖ୍ୟ ସଚେତକ ଥାଇ ଚଳିତ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅମରପ୍ରସାଦ ଶତପଥୀ ପୁଣି ବାଜିମାତ ମାରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/JAJPUR-5.jpg)