ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛି ୫ବର୍ଷର ଶିଶୁ : ଉପଯୁକ୍ତ ଚିକିତ୍ସା ଅଭାବରୁ ବଢିଚାଲିଛି ଜୱାର ବାଦ୍ରାର କଷ୍ଟ; ଚିକିତ୍ସା ପ୍ରତିଶ୍ରୁତି ଦେଲେ ଦାନଗଦି ବିଡିଓ 

73

କନକ ବ୍ୟୁରୋ : ଜୀବନ ଯନ୍ତ୍ରଣାରେ ଛଟପଟ ଶୈଶବ । ଖେଳକୁଦ ବୟସରେ ରୋଗ ଶଯ୍ୟାରେ ପଡି ବଂଚିବାର ରାହା ଖୋଜୁଛି ୫ ବର୍ଷର ଶିଶୁ । ବର୍ଷେ ତଳେ ଗଛରୁ ପଡି ଗୋଡ ଭାଙ୍ଗି ଯାଇଥିଲା । ଗୋଡର ହାଡ ଭାଙ୍ଗି ବାହାରକୁ ବାହାରି ଆସିଥିବା ବେଳେ ଉପଯୁକ୍ତ ଚିକିତ୍ସା ଅଭାବରୁ କ୍ଷତ ସ୍ଥାନ ନଷ୍ଟ ହେବାକୁ ଲାଗିଲାଣି । ଫଳରେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଟାଙ୍ଗରସାହିିର ଜୱାର ବାଦ୍ରା ।

ପିଲାଟି ଦିନରୁ ବାପା ନାହାନ୍ତି । ଗରିବ ଅଭାବୀ ପରିବାରରେ ଏବେ ଗୋଡ ଭାଙ୍ଗିବା ପରେ ଏପରି ବିପଦ ମାଡି ଆସିଛି । ଚିକିତ୍ସା ପାଇଁ ଦାନଗଦି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରୁ କଟକ ବଡ ଡାକ୍ତରଖାନାକୁ ନେଇ ଅଧିକ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ପାଖରେ ଟଙ୍କା ନଥିବାରୁ ଜୱାରକୁୁ କଟକ ନେଇପାରୁନାହାନ୍ତି ପରିବାର ଲୋକେ । ଭଂଗା ଗୋଡରେ କେବଳ କପଡା ବ୍ୟାଣ୍ଡେଜ୍ କରି ଛାଡି ଦେଇଛନ୍ତି ଦାନଗଦି ଡାକ୍ତରଖାନା । ଏବେ କ୍ଷତ ସ୍ଥାନରୁ ପୂଜ ବାହାରୁଛି ।

ଅସହ୍ୟ ଯନ୍ତ୍ରଣା ଭୋଗ କରୁଛି ଆଦିବାସୀ ଶିଶୁଟି । ପୁଅର ଅଧିକ ଚିକିତ୍ସା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ପରିବାର ଲୋକ ଏବଂ ଗ୍ରାମବାସୀ । ସେପଟେ ଘଟଣା ନେଇ ଦାନଗଦି ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲା କନକନ୍ୟୁଜ । ଖୁବଶୀଘ୍ର ଆହତ ଶିଶୁର ଆବଶ୍ୟକ ଚିକିତ୍ସା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଦାନଗଦି ବିଡିଓ ।