ଯାଜପୁରରୁ ନାଗପୁର । ଅସମ୍ଭବକୁ ସମ୍ଭବ କଲେ ଗୋବିନ୍ଦ, ଜିଲ୍ଲା ପାଇଁ ଗର୍ବ ଆଣିଲେ ବାପଛେଉଣ୍ଡ ପୁଅ

52

କନକ ବ୍ୟୁରୋ : ଦୃଢ ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ହିଁ ମଣିଷକୁ ସଫଳତା ଆଣିଦିଏ । ଯାହା ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ପଂଜରାସାହିର ଗୋବିନ୍ଦ ମହାନ୍ତି । ଯାଜପୁର ଉକ୍ରଳ ବାଳାଶ୍ରମରେ ପାଠପଢୁଥିବା ଏହି ଛାତ୍ର ଜଣଙ୍କ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହେବାସହ ଏନଆଇଟି ନାଗପୁରରେ ଉଚ୍ଚଶିକ୍ଷା ପାଇଁ ମନୋନୀତ ହୋଇଛନ୍ତି । ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋବିନ୍ଦଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଛି ।

ଉତ୍କଳ ବାଳାଶ୍ରମ ଛାତ୍ରଙ୍କ ଗହଣରେ ମେଧାବୀ ଛାତ୍ର ଗୋବିନ୍ଦ ମହାନ୍ତି । ସାରା ଜିଲ୍ଲାରେ ଏବେ ଗୋବିନ୍ଦଙ୍କ ସଫଳତାକୁ ନେଇ ଚର୍ଚ୍ଚା । ବିନା ତାଲିମ ଏବଂ ପ୍ରଶିକ୍ଷଣରେ ଗୋବିନ୍ଦ ସର୍ବଭାରତୀୟ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ଏବେ ଏନଆଇଟି ନାଗପୁରରେ ଉଚ୍ଚଶିକ୍ଷା ଏବଂ ଗବେଷଣା କରିବେ । ଏଠାରେ ପହଂଚିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଛି ଗୋବିନ୍ଦଙ୍କୁ । ବାପା ଚାଲିଗଲା ପରେ ଅର୍ଥ ଅଭାବରୁ ବାଳାଶ୍ରମରେ ହୋଇଥିଲା ସ୍କୁଲ ପାଠପଢା । ସପଂଳତାର ସହିତ ମାଟ୍ରିକ ପାସ କରିବା ପରେ ଏନସି କଲେଜରେ ଶ୍ରେଷ୍ଠ ଗ୍ରାଜୁଏଟ ବନିଥିଲେ । ବାସ ତାପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଗୋବିନ୍ଦ ।

ଗୋବିନ୍ଦଙ୍କ ଏହି ସଫଳତା ପରେ ସହଯୋଗର ହାତ ବଢାଇଛି ଜିଲ୍ଲା ପ୍ରଶାସନ । ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ଷ୍ଟଡି ଲୋନ ସହିତ ରେଡକ୍ରସରୁ ୨୦ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ମିଳିଛି । ତାଙ୍କର କୌଣସି ପକ୍କା ଘର ନଥିବାରୁ ଏକ ଘର ଦେବା ନେଇ ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇଛି ।ଗୋଟିଏ ପଟେ ପରିବାରର ବୋଝ ଓ ଅନ୍ୟପଟେ କିଛି ଗୋଟେ କରିବାର ନିଶା । ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ବି ପାଠ ପଢି ସଫଳତା ହାସଲ କରିଛନ୍ତି ଗୋବିନ୍ଦ । ଏବେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ ।