ମୋ କ୍ୟାରିୟର ଶେଷ ହୋଇଗଲା ସାର୍ । ଯେତେବେଳେ ଫୋନରେ କାନ୍ଦି କାନ୍ଦି କହିଥିଲେ ଜୟସ୍ୱାଲ, କୋଚ୍ କହିଲେ ପୂରା କାହାଣୀ ।

727

କନକ ବ୍ୟୁରୋ : ଗତ କିଛି ବର୍ଷ ମଧ୍ୟରେ ଦୁଦ୍ଦର୍ଷ ବ୍ୟାଟର ଭାବେ ଉଭା ହୋଇଛନ୍ତି ଯଶସ୍ୱୀ ଜୟସ୍ୱାଲ । ପ୍ରତି ଫର୍ମାଟରେ ଜୟସ୍ୱାଲଙ୍କ ଆକ୍ରମଣାତ୍ମକ ଅନ୍ଦାଜ ଦେଖିବାକୁ ମିଳୁଛି । ଟେଷ୍ଟରୁ ଆରମ୍ଭ କରି ଟି-୨୦ ପ୍ରତି ମ୍ୟାଚରେ ନିଜର ପ୍ରଭାବୀ ପ୍ରଦର୍ଶନ ବଳରେ ସମସ୍ତଙ୍କର ମନ ଜିଣିଛନ୍ତି ଜୟସ୍ୱାଲ । କିନ୍ତୁ ଏମିତି ଗୋଟିଏ ସମୟ ଆସିଥିଲା, ଯେତେବେଳେ ଜୟସ୍ୱାଲ ଭାବୁଥିଲେ ତାଙ୍କ କ୍ରିକେଟ କ୍ୟାରିୟର ସମାପ୍ତ ହୋଇଗଲା । ଯାହାକୁ ନେଇ ମୁହଁ ଖୋଲିଛନ୍ତି କୋଚ୍ ଜ୍ୱାଲା ସିଂ ।

ଯଶସ୍ୱୀ ଜୟସ୍ୱାଲଙ୍କ କୋଚ୍ ଜ୍ୱାଲା ସିଂ କହିଛନ୍ତି, ଯେତେବେଳେ ଦୁବାଇରୁ ଆଇପିଏଲ ଖେଳି ଜୟସ୍ୱାଲ ଘରକୁ ଫେରିଲେ ସେତେବେଳେ ଫୋନ୍ କରି କାନ୍ଦିବା ସହ କହିଥିଲେ, ସାର୍ ମୋ କ୍ରିକେଟ କ୍ୟାରିୟର ଶେଷ ହୋଇଗଲା । ମୋତେ ଲାଗୁନି ଯେ, ମୁଁ ଆଉ ଅନ୍ତର୍ଜାତୀୟ ସ୍ତରରେ ଖେଳିପାରିବି ବୋଲି । କାରଣ ସେତେବେଳେ ଜୟସ୍ୱାଲ ସେତେଟା ଆକ୍ରମଣାତ୍ମକ ଢଙ୍ଗରେ କ୍ରିକେଟ ଖେଳୁନଥିଲେ । କେବଳ କିଛି ଭଲ ସଟ୍ ଖେଳୁଥିଲେ । ସେତେବେଳେ ଭାରତରେ କୋଭିଡ ସ୍ଥିତି ଜାରି ରହିଥିଲା । ଜୟସ୍ୱାଲଙ୍କୁ ଏଭଳି ଅବସ୍ଥାରେ ଦେଖି ତୁରନ୍ତ ତାଙ୍କୁ ଗୋରଖପୁର ନେଇଯାଇଥିଲି ଏବଂ ସ୍ପିନରଙ୍କ ବିପକ୍ଷରେ ପଡିଆରେ ଦୂର ପର୍ଯ୍ୟନ୍ତ ଛକା ମାରିବାକୁ ପରାମର୍ଶ ଦେଇଥିଲି । ଜୟସ୍ୱାଲ ଏବେ ଯେଉଁଭଳି କ୍ରିକେଟ ଖେଳୁଛନ୍ତି ତାହାର ଆରମ୍ଭ ୨୦୨୦-୨୧ରୁ ଆରମ୍ଭ ହୋଇଥିଲା । କାରଣ ଏଥିପାଇଁ ନିରନ୍ତର ଅଭ୍ୟାସ କରିବାକୁ ପଡୁଥିଲା । ଜୟସ୍ୱାଲ ଆଇପିଏଲ ଖେଳିବା ପୂର୍ବରୁ ବିଭିନ୍ନ ଦିଗକୁ ସଟ୍ ଖେଳିବାକୁ ପରାମର୍ଶ ଦେଇଥିଲି । ଯାହା ଏବେ ଜୟସ୍ୱାଲଙ୍କୁ ଆକ୍ରମଣାତ୍ମକ କ୍ରିକେଟର ଭାବେ ପରିଚୟ ଦେଇଛି ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜୟସ୍ୱାଲ ୫ଟି ମ୍ୟାଚରେ ୨୬ଟି ଛକା ମାରିଥିଲେ । ସେହିଭଳି ଗୋଟିଏ ଇନିଂସରେ ୧୨ଟି ଛକା ମାରି ସମସ୍ତଙ୍କୁ ଚକିତ କରିଥିଲେ ଜୟସ୍ୱାଲ । ଟେଷ୍ଟ ମ୍ୟାଚରେ ଏଭଳି ବିଧ୍ୱଂସୀ ପାଳି ଦେଖି ସଭିଏଁ ଚକିତ ହୋଇଥିଲେ । ଭାରତ ଏହି ସିରିଜକୁ ୪-୧ରେ ବାଜି ମାରି ନେଇଥିଲା ।