ଭାଙ୍ଗୁ ଭାଙ୍ଗୁ ବଞ୍ଚିଗଲା ଯୁବରାଜଙ୍କ ରେକର୍ଡ । ଆଇପିଏଲରେ ନୂଆ ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ ।

3,129

କନକ ବ୍ୟୁରୋ : ଆଇପିଏଲ ୨୦୨୩ରେ ଭାରତୀୟ ଯୁବ ପ୍ରତିଭାଙ୍କ କରିସ୍ମା ଦେଖିବାକୁ ମିଳୁଛି । କୋଲକାତା ବିପକ୍ଷ ମ୍ୟାଚରେ ଯଶସ୍ୱୀ ଜୟସ୍ୱାଲ ବିସ୍ଫୋରକ ଇନିଂସ ଖେଳି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । କୋଲକାତା ବିପକ୍ଷରେ ୯ ୱିକେଟରେ ବିଜୟ ହାସଲ କରିଛି ରାଜସ୍ଥାନ । କିନ୍ତୁ ଏହି ମ୍ୟାଚରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ୨୧ ବର୍ଷୀୟ ଯୁବ ଭାରତୀୟ କ୍ରିକେଟର ଯଶସ୍ୱୀ ଜୟସ୍ୱାଲ । ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି ଯଶସ୍ୱୀ । ଏହାସହ ଅଳ୍ପକେ ବର୍ତ୍ତି ଯାଇଛି ସିକ୍ସର କିଙ୍ଗ୍ ଯୁବରାଜ ସିଂଙ୍କ ଟି-୨୦ ରେକର୍ଡ ।

କୋଲକାତା ବିପକ୍ଷରେ ୪୭ ବଲରେ ୯୮ ରନର ଅପରାଜିତ ଇନିଂସ ଖେଳିଥିବା ଯଶସ୍ୱୀ ଆଇପିଏଲ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ଯଶସ୍ୱୀ ମାତ୍ର ୧୩ଟି ବଲରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ତେବେ ଟି-୨୦ କ୍ରିକେଟରେ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ନାଁରେ ରହିଛି । ଯୁବରାଜ ଇଂଲଣ୍ଡ ବିପକ୍ଷରେ ମାତ୍ର ୧୨ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିଭଳି କ୍ରିସ୍ ଗେଲ ମଧ୍ୟ ବିଗ୍ ବାସ ଲିଗରେ ଏହି ଉପଲବ୍ଧି ହାସଲ କରିଛନ୍ତି । କିନ୍ତୁ ଆଇପିଏଲରେ ୧୩ଟି ବଲରେ ଏଯାଏଁ କେହି ଅର୍ଦ୍ଧଶତକ ହାସଲ କରିପାରିନଥିଲେ । କିନ୍ତୁ ଏହାକୁ ପୂରା କରି ଦେଖାଇଛନ୍ତି ଜୟସ୍ୱାଲ । ଆଇପିଏଲରେ ଏହି ରେକର୍ଡ ପୂର୍ବରୁ କେ.ଏଲ ରାହୁଲଙ୍କ ନାଁରେ ରହିଥିଲା । କେ.ଏଲ ରାହୁଲ ୧୪ଟି ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ପାଟ କମିନ୍ସ ମଧ୍ୟ ସମାନ ସଂଖ୍ୟକ ବଲରେ ନିଜର ଆଇପିଏଲ ଅର୍ଦ୍ଧଶତକ ହାସଲ କରିଥିଲେ ।

ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ଯଶସ୍ୱୀ କିନ୍ତୁ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ହାତରେ ଓଭର ଥିଲା, କିନ୍ତୁ ଟାର୍ଗେଟ ପୂରା ହୋଇ ସାରିଥିଲା । ତେଣୁ କିଛି ମାତ୍ରାରେ ନିରାଶ ହୋଇଛନ୍ତି ଯଶସ୍ୱୀଙ୍କ ପ୍ରଶଂସକ । କିନ୍ତୁ ଏହି ଦମଦାର ଇନିଂସ ପାଇଁ ସୋସିଆଲ ମିଡ଼ିଆରେ ଯଶସ୍ୱୀଙ୍କୁ ଛୁଟୁଛି ପ୍ରଶଂସାର ସୁଅ । ଅନେକ କ୍ରିକେଟର ସୋସିଆଲ ମିଡ଼ିଆରେ ଯଶସ୍ୱୀଙ୍କୁ ପ୍ରଶଂସା କରିବାକୁ ଭୁଲିନାହାନ୍ତି । ଭାରତୀୟ କ୍ରିକେଟର ବିରାଟ କୋହଲି ନିଜ ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରିବା ସହ କହିଛନ୍ତି, କିଛି ଦିନ ମଧ୍ୟରେ ଦେଖିଥିବା ଇନିଂସ ମଧ୍ୟରୁ ଏହା ସବୁଠୁ ଶ୍ରେଷ୍ଠ ବ୍ୟାଟିଂ । ସେହିଭଳି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ କହିଛନ୍ତି, ଯଶସ୍ୱୀଙ୍କ ଭଳି ଯୁବ ପ୍ରତିଭା ସ୍ୱତନ୍ତ୍ର । ତାଙ୍କ ବିଧ୍ୱଂସୀ ଇନିଂସର ମଜା ଉଠାଇଛି । କେବଳ ଭାରତୀୟ କ୍ରିକେଟର ନୁହଁନ୍ତି ବରଂ ଅନ୍ୟ ଦେଶର ଖେଳାଳୀ ଓ ଅନ୍ୟ ଫ୍ରାଞ୍ଚାଇଜ ମଧ୍ୟ ଯଶସ୍ୱୀଙ୍କର ଏହି ଇନିଂସକୁ ପ୍ରଶଂସା କରିଛନ୍ତି ।

୨୦୨୩ ଆଇପିଏଲ ସିଜିନରେ ଯଶସ୍ୱୀ ଦମଦାର ଫର୍ମରେ ରହିଛନ୍ତି । ପ୍ରତିଟି ମ୍ୟାଚରେ ଯଶସ୍ୱୀଙ୍କ ବ୍ୟାଟରୁ ବଡ ଇନିଂସ ଦେଖିବାକୁ ମିଳୁଛି । ଏବେ ସୁଦ୍ଧା ଯଶସ୍ୱୀ ୧୨ଟି ମ୍ୟାଚରୁ ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ସହ ୫୭୫ ରନ କରିଛନ୍ତି । ଏହାସହ ଅରେଞ୍ଜ କ୍ୟାପରୁ ଗୋଟିଏ ରନ୍ ପଛରେ ରହିଛନ୍ତି । ଆରସିବି ଅଧିନାୟକ ଫାପ୍ ଡୁ ପ୍ଲେସିସଙ୍କ ପାଖରେ ଏବେ ଅରେଞ୍ଜ କ୍ୟାପ୍ ରହିଛି । ଡୁ ପ୍ଲେସିସ ଏବେ ସୁଦ୍ଧା ୧୧ଟି ମ୍ୟାଚ୍ ଖେଳି ୫୭୬ ରନ୍ କରିଛନ୍ତି ।