ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତର ଜେମ୍ସ ବଣ୍ଡ । ୬ତାରିଖରେ ଗିରଫ ହୋଇଥିବା ଆତଙ୍କୀ ଦେଲା ସୂଚନା, ବଢିଲା ଅଜିତ ଡୋଭାଲଙ୍କ ସୁରକ୍ଷା ।

307

କନକ ବ୍ୟୁରୋ : ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ଜେମ୍ସ ବଣ୍ଡ । ଗତ ୬ତାରିଖରେ ଜମ୍ମୁକଶ୍ମୀରରୁ ଗିରଫ ହୋଇଥିବା ଜୈଶ ଆତଙ୍କୀ ଏନେଇ ସୂଚନା ଦେଇଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାର୍ଯ୍ୟାଳୟର ରେକି କରିବା ସହ ଭିଡିଓଗ୍ରାଫି କରି ଜୈଶ-ଏ-ମହମ୍ମଦ ହେଣ୍ଡଲର ନିକଟକୁ ଏହା ପଠାଯାଇଥିବା ତଦନ୍ତରୁ ଜଣାପଡିଛି । ଏହାପରେ ଅଜିତ ଡୋଭାଲଙ୍କ ସୁରକ୍ଷା ବଢାଇ ଦିଆଯାଇଛି ।

ପାକିସ୍ତାନର ଟାର୍ଗେଟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଭାରତୀୟ ଜେମ୍ସ ବଣ୍ଡ ଡୋଭାଲ, ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ । ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାର୍ଯ୍ୟାଳୟର ରେକି କରିଛି ଜୈଶ ଆତଙ୍କବାଦୀ ହିଦାୟତ ଉଲ୍ଲାହ ମଲ୍ଲିକ । ପାକିସ୍ତାନରୁ ନିୟନ୍ତ୍ରିତ ହେଉଥିବା ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ହିଦାୟତ ଉଲ୍ଲାହ ମଲ୍ଲିକକୁ ଗତ ୬ତାରିଖରେ ସୁରକ୍ଷାକର୍ମୀ ଗିରଫ କରିବା ପରେ ଏନେଇ ସୂଚନା ମିଳିଛି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ଉପରେ ସମ୍ଭାବ୍ୟ ବିପଦ ସମ୍ପର୍କରେ ଗୁଇନ୍ଦା ସଂସ୍ଥା ସମେତ ଗୃହ ମନ୍ତ୍ରାଳୟକୁ ଅବଗତ କରିଦିଆଯାଇଛି ।

୨୦୧୬ରେ ପାକିସ୍ତାନର ଉରିରେ ସର୍ଜିକାଲ ଷ୍ଟ୍ରାଇକ ଓ ବାଲାକୋଟରେ ଭାରତୀୟ ବାୟୁସେନାର ଏୟାର ସର୍ଜିକାଲ ଷ୍ଟ୍ରାଇକ ପଛରେ ଥିଲା ଡୋଭାଲଙ୍କ ମାଷ୍ଟର ମାଇଣ୍ଡ । ଆଉ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ୱାର ରୁମରେ ବସି ପୂରା ଅପରେସନର ପରିଚାଳନା କରିଥିଲେ ଏହି ଜେମ୍ସ ବଣ୍ଡ । ଏହାପରେ ଆତଙ୍କବାଦୀଙ୍କ ସିଧାସଳଖ ଟାର୍ଗେଟରେ ରହିଛନ୍ତି ଅଜିତ ଡୋଭାଲ ।

୨୦୧୯ ମେ’ ୨୪ତାରିଖରେ ସୋପିୟାଁରେ ରହୁଥିବା ଆତଙ୍କବାଦୀ ହିଦାୟତ ଉଲ୍ଲାହ ମଲ୍ଲିକ ଏକ ଇଣ୍ଡିଗୋ ବିମାନ ଯୋଗେ ଶ୍ରୀନଗରରୁ ଦିଲ୍ଲୀ ଆସିଥିଲା । ଏବଂ ସୁରକ୍ଷା ବ୍ୟବସ୍ଥାକୁ ଚକମା ଦେଇ ପହଞ୍ଚି ଯାଇଥିଲା ହାଇ ସିକ୍ୟୁରିଟି ଜୋନରେ ଥିବା ଡୋଭାଲଙ୍କ କାର୍ଯ୍ୟାଳୟ ଭିତରେ । କେବଳ ଏତିକି ନୁହେଁ କାର୍ଯ୍ୟାଳୟକୁ ରେକି କରିବା ସହ ସିଆଇଏସଏଫ ସୁରକ୍ଷା ବ୍ୟବସ୍ଥାର ଏକ ଭିଡିଓ ପ୍ରସ୍ତୁତ କରିଥିଲା ଏବଂ ହ୍ୱାଟ୍ସଆପ ଯୋଗେ ପାକିସ୍ତାନରେ ଥିବା ଜୈଶ-ଏ-ମହମ୍ମଦର ହ୍ୟାଣ୍ଡଲର ନିକଟକୁ ପଠାଇଦେଇଥିଲା । ଏହି ସମୟରେ ଶ୍ରୀନଗରର ବିଭିନ୍ନ ଅଞ୍ଚଳର ରେକି କରି ମଧ୍ୟ ଭିଡିଓ ପ୍ରସ୍ତୁତ କରିଥିଲା ଏହି ଆତଙ୍କବାଦୀ । ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ହିଦାୟତ ଉଲ୍ଲାହ ମଲ୍ଲିକର ସମ୍ପୃକ୍ତି ରହିଥିବା ସୂଚନା ମିଳିଛି ।

କୁହାଯାଏ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଏନଏସଏ ଅଜିତ ଡୋଭାଲଙ୍କ ଉପରେ ଆଖିବୁଜି ବିଶ୍ୱାସ କରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉରି ଠାରୁ ଆରମ୍ଭ କରି ବାଲାକୋଟ ଏୟାର ଷ୍ଟ୍ରାଇକ ପଛରେ ଅଜିତ ଡୋଭାଲ ହିଁ ମାଷ୍ଟର ମାଇଣ୍ଡ ରହିଛନ୍ତି । ଏପରିକି ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରି ଦୁଇଟି ଅଲଗା ଅଲଗା କେନ୍ଦ୍ର ଶାସିତ ପ୍ରଦେଶ କରିଦେବା ପଛରେ ଥିଲା ଡୋଭାଲଙ୍କ ରଣନୀତି । ଏବଂ ଏଥିପାଇଁ ଗତ ୩ଦଶନ୍ଧି ଧରି ସେ ଆଇଏସଆଇର ଟାର୍ଗେଟରେ ରହିଛନ୍ତି । ଗୁଇନ୍ଦା ରିପୋର୍ଟ ଅନୁସାରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ କଶ୍ମୀରରେ ପୁଣି ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଏନେଇ ଗୃହ ମନ୍ତ୍ରାଳୟକୁ ମଧ୍ୟ ସୂଚନା ଦିଆଯାଇଛି ।