ଭାରତୀୟ ସେନାକୁ ବଡ ସଫଳତା । ଜୈଶ ଆତଙ୍କବାଦୀ ମସୁଦ ଅଜହର ଭଣଜା ଲମ୍ବୁକୁ ଏନକାଉଣ୍ଟର

205

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ଅବନ୍ତିପୁରାରେ ଶନିବାର ଦିନ ସେନା ଓ ସ୍ଥାନୀୟ ପୋଲିସକୁ ବଡ ସଫଳତା ମିଳିଛି । ସେନା ଗୁଳିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଅଜହରର ଭଣଜା । ତାର ନାମ ଇସମାଇଲ ଓରଫ ଲମ୍ବୁ । ଲମ୍ବୁ ଆଇଇଡି ଏକ୍ସପର୍ଟ ବୋଲି କୁହାଯାଇଛି । ସବୁଠାରୁ ବଡକଥା ହେଉଛି କି ଲମ୍ବୁ ପୁଲୱାମା ଆକ୍ରମଣରେ ସାମିଲ ଥିଲା ବୋଲି ଏନଆଇଏ ତାର ଚାର୍ଜସିଟରେ ଉଲ୍ଲେଖ କରିଛି । ଏହାସହ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ତାର ହାତ ଥିବା କଥା କୁହାଯାଉଛି ।

ସୂଚନା ଥାଉକି ମହମ୍ମଦ ଇସମାଇଲ ଓରଫ୍ ଫୌଜି କାଶ୍ମୀରରେ ଜୈଶ ଏ ମହମ୍ମଦ ସଂଗଠନର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା । ସେ ବାହାବଲପୁର କେସାର କଲୋନୀରେ ରହୁଥିଲା । ୨୦୧୯ ଓ ୨୦୨୦ ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଇସମାଇଲ ସାମିଲ ଥିବା କଥା କୁହାଯାଇଛି । ସେ ୨୦୧୯ ପୁଲୱାମା ଆକ୍ରମଣରେ ଆଇଇଡି ବ୍ୟବହାର କରିଥିଲା । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ ।

ଗୋଇନ୍ଦା ବିଭାଗର ସୂଚନା ମୁତାବକ ଇସମାଇଲର ଜନ୍ମ ପାକିସ୍ତାନରେ ହୋଇଥିବା ବେଳେ ସେ ଆତଙ୍କବାଦୀ ସଂଗଠନର ଦେଖାରଖାରେ ବଡ ହୋଇଥିଲା । ୨୦୧୭ ମସିହାରେ ସେ ଭାରତରେ ପ୍ରବେଶ କରି ପୁଲୱାମା ଓ ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା ।