କନକ ବ୍ୟୁରୋ : ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳକୁ ସାରାଦେଶ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ ଓଡିଶାର ବି ନଜର ରହିଛି । କିନ୍ତୁ ଏହା ଭିତରେ ଚଳଚଞ୍ଚଳ ହୋଇଛନ୍ତି ଓଡିଶାର ପ୍ରମୁଖ ରାଜନୈତିକ ଦଳ । ଜୋରଦାର ହୋଇଛି ମିଶ୍ରଣ ପର୍ବ । ଯାହା ରାଜ୍ୟ ରାଜନୀତିକୁ ସରଗମ କରିଛି ।
୫ ରାଜ୍ୟର ନିର୍ବାଚନ ଫଳାଫଳକୁ ଅପେକ୍ଷା ଭିତରେ, ରାଜଧାନୀ ଭୁବନେଶ୍ୱରରୁ ଆସିଥିବା ଦୃଶ୍ୟ ଭିନ୍ନ ବାର୍ତା ଦେଉଛି । ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ଣ ହେଲାଣି ବୋଲି ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି । ବିଜେଡି, ବିଜେପି ଓ କଂଗ୍ରେସ ଶିବିରରେ ଲାଗିଥିବା ଭିଡ ଓ ମିଶ୍ରଣ ପର୍ବ, ରାଜନୈତିକ ଦଳମାନଙ୍କର ଆଗାମି ନିର୍ବାଚନ ପ୍ରସ୍ତୁତି ତାହାର ସଂକେତ ଦେଉଛି । ନବୀନ ନିବାସରେ ଭି.କେ.ପାଣ୍ଡିଆନଙ୍କୁ ଭେଟିବାକୁ ଭିଡ ଲାଗିଥିବାବେଳେ, କଂଗ୍ରେସ କାର୍ଯ୍ୟାଳୟରେ ହାତ ଧରିଛନ୍ତି ଦକ୍ଷିଣ ଓଡିଶାର ଟାଣୁଆ ନେତା ଜୟରାମ ପାଙ୍ଗୀ । ସେହିପରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି କଂଗ୍ରେସ ନେତା କିଶୋର ଚନ୍ଦ୍ର ପଣ୍ଡା ।
କେବଳ ଏତିକି ନୁହେଁ ଆଗକୁ ବିଜେଡି ସୁପ୍ରିମୋ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ବିଜେଡି ରଣନୀତି ପ୍ରସ୍ତୁତ କରୁଛି । ଡିସେମ୍ବର ୨୬ ପ୍ରତିଷ୍ଠା ଦିବସକୁ ବଡ ଧରଣର ଆୟୋଜନ କରିବା ପାଇଁ ଦଳ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇପାରେ । ଏଥିପାଇଁ ଦଳ ପକ୍ଷରୁ ମାରାଥନ ବୈଠକ ଚାଲିଛି । କଂଗ୍ରେସ ମଧ୍ୟ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରିଛି । ପିସିସି ସଭାପତି ପ୍ରଚାର ବସରେ ସାରା ଓଡିଶା ବୁଲିବା ପାଇଁ ନିଷ୍ପତି ନେଇଛି ଦଳ । ଅନ୍ୟପଟେ ବିଜେପି ଜାରି ରଖିଛି ଜନ ସମ୍ପର୍କ କାର୍ଯ୍ୟକ୍ରମ । ତେବେ ୫ରାଜ୍ୟର ନିର୍ବାଚନୀ ଫଳାଫଳ ଆସିବା ପରେ ରାଜ୍ୟ ରାଜନୀତି ଆହୁରି ସରଗରମ ହେବ ବୋଲି କୁହାଯାଉଛି ।