ବିଜେପି ଠାରୁ ଦୂରେଇ ଯିବେ ଜୟରାମ ପାଙ୍ଗୀ । ରାଜନୀତିକୁ ଛାଡିବେ, କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଲଢିବେ !

247

କନକ ବ୍ୟୁରୋ : ଦକ୍ଷିଣ ଓଡ଼ିଶାର ଜଣେ ଟାଣୁଆ ନେତା ଜୟରାମ ପାଙ୍ଗୀ, ବିଜେପି ଛାଡି ଯେଉଁ ନୂଆ ଦଳ ଗଢିବାକୁ ଯାଉଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା । ଆନ୍ଧ୍ର, ଛତିଶଗଡ ଓ ଓଡ଼ିଶାର କିଛି ଅଞ୍ଚଳକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ଆଉ ଏହାର ନାଁ ରଖିବେ, ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ।

ବିଜେପି ଠାରୁ ନିଜକୁ ଦୂରେଇବେ ଜୟରାମ ପାଙ୍ଗୀ । ରାଜନୀତିକୁ ଛାଡିବେ, କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଲଢିବେ ! ଶଙ୍ଖ ଶିବିରରୁ ନିଲମ୍ବିତ ହୋଇ ପଦ୍ମ ପୋଖରୀକୁ ଲମ୍ଫ ମାରିଥିବା କୋରାପୁଟର ବରିଷ୍ଠ ନେତା ଜୟରାମ ପାଙ୍ଗୀ ଏବେ ବିଜେପି ଛାଡିବା ନେଇ ସୂଚନା ଦେଇଛନ୍ତି । ଚାରି ବର୍ଷ ଧରି ବିଜେପି କ୍ୟାମ୍ପରେ ରହି ନିର୍ବାଚନ ଲଢିବା ପରେ ଏବେ ବିଜେପିକୁ ବାୟ ବାୟ କରିବେ ପାଙ୍ଗୀ ।

ତେବେ ସେ କୌଣସି ରାଜନୈତିକ ଦଳରେ ଯୋଗ ଦେବେ ନାହିଁ ବରଂ ଆନ୍ଧ୍ର, ଛତିଶଗଡ ଏବଂ ଓଡିଶାର କିଛି ଅଞ୍ଚଳକୁ ନେଇ କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ନାମରେ ସଂଗଠନ ଗଠନ କରି ସେ ଏହି ଦାବି ଉଠାଇବେ ।

ସେପଟେ ପାଙ୍ଗୀଙ୍କ ଏହି ଦାବିକୁ ସମର୍ଥନ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଅବିଭକ୍ତ କୋରାପୁଟ ଜିଲ୍ଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୁବିଧାରୁ ବଞ୍ଚିତ ହେଉଥିବାରୁ ଜୟରାମଙ୍କ ଦାବି ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ବୋଲି କହିଛନ୍ତି ତାରା ।

ନିକଟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରୁ, ସେଠାରେ ବିଜେପି ସଂଗଠନରେ ସବୁକିଛି ଠିକ୍ ଚାଲିନଥିବା ସୂଚନା ମିଳିଥିଲା । ତେଣୁ ଏବେ ୪୪ ବର୍ଷ ଧରି ରାଜନୀତି ସହ ଜଡିତ ଥାଇ ବିଧାୟକ, ମନ୍ତ୍ରୀ ଓ ସାଂସଦ ପଦରେ ରହିଥିବା ଏହି ଅନୁଭବୀ ଆଦିବାସୀ ନେତା ହଠାତ୍ କାହିଁକି ରାଜନୀତି ପ୍ରତି ବିତୃଷ୍ଣା ଭାବ ଦେଖାଇଲେ? ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ବିଜେପିକୁ ପାଙ୍ଗୀଙ୍କର ଏହି ଝଟକା ପଂଚାୟତ ନିର୍ବାଚନ ବେଳେ କଣ ରହିବ, ତାଉପରେ ନଜର ।