ଦେଶକୁ ଓମିକ୍ରନ୍ ଭୟ । ଜୟପୁରରେ ଦକ୍ଷିଣ ଆଫ୍ରିକା ଫେରନ୍ତା ଗୋଟିଏ ପରିବାରରେ ୪ ପଜିଟିଭ୍ !

972

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଆତଙ୍କ ଖେଳାଇବା ପରେ ଭାରତକୁ ମଧ୍ୟ ଘାରିଛି ଓମିକ୍ରନ୍ ଭୟ । ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ରାଜସ୍ଥାନ ଜୟପୁର ଫେରିଛନ୍ତି ଗୋଟିଏ ପରିବାର । ଏମାନଙ୍କ ମଧ୍ୟରୁ ୪ଜଣ କରୋନା ପଜିଟିଭ ଥିବା ଜଣାପଡିଛି ।

ଦେଶରେ ଓମିକ୍ରନର ଦୁଇଟି ମାମଲା ଜଣାପଡିବା ପରେ ଏବେ ଦକ୍ଷିଣ ଆଫ୍ରିକାରୁ ଜୟପୁରକୁ ଫେରିଥିବା ପରିବାରକୁ ନେଇ ଚିନ୍ତା । କାରଣ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଏହି ପରିବାରର ୪ଜଣ କୋଭିଡ ପଜିଟିଭ ଥିବା ଜଣାପଡିଛି । ସୂଚନା ମୁତାବକ, ନଭେମ୍ବର ୨୫ ତାରିଖରେ ଏହି ପରିବାରର ୯ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ପରିବାରର ମା’ ବାପା, ତାଙ୍କର ୮ବର୍ଷ ଓ ୧୫ ବର୍ଷର ଦୁଇ ଝିଅଙ୍କୁ କୋଭିଡ୍ ପଜିଟିଭ ଥିବା ଜଣାପଡିଛି । ଏହାଠାରୁ ଆହୁରି ଚିନ୍ତାର ବିଷୟ ହେଉଛି ଏମାନେ ବିଦେଶରୁ ଫେରିବା ପରେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ମଧ୍ୟରୁ ମଧ୍ୟ ୫ଜଣ କରୋନା ସଂକ୍ରମିତ ଥିବା ଜଣାପଡିଛି ।

ଏ ସମସ୍ତଙ୍କୁ ବର୍ତ୍ତମାନ ସଙ୍ଗରୋଧରେ ରଖାଯିବା ସହ ସମସ୍ତଙ୍କର ଜିନୋମ ସିକ୍ୱେନ୍ସିଙ୍ଗ କରାଯାଇଛି । ତେବେ ରିପୋର୍ଟ ଆସିବା ପରେ ହିଁ ଏମାନେ କରୋନାର କେଉଁ ଭ୍ୟାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ହେବ । ତେବେ ସଂକ୍ରମିତ ଏହି ବାପା, ମା’ କୋଭିଡର ଦୁଇ ଡୋଜ୍ ଟିକା ନେଇସାରିଛନ୍ତି । ଦୁଇ ଝିଅଙ୍କ ଠାରେ ମଧ୍ୟ କରୋନାର କୌଣସି ଲକ୍ଷଣ ନାହିଁ । କିନ୍ତୁ ଯେହେତୁ ସେମାନେ ଦକ୍ଷିଣ ଆଫିକାରୁ ଫେରିଲେ ସେଥିପାଇଁ ସେମାନଙ୍କର ଟେଷ୍ଟ କରାଯିବାରୁ ସେମାନେ ପଜିଟିଭ ଥିବା ଜଣାପଡିଛି । ଏହାପୂର୍ବରୁ କର୍ଣ୍ଣାଟକରେ ଓମିକ୍ରନର ଦୁଇଟି କେସ୍ ମିଳିଥିବା ସୂଚନା ରହିଛି ।