କନକ ବ୍ୟୁରୋ: ଝାଉଁଳି ଗଲେଣି ଅଭିଜିତ ଆୟାର ମିତ୍ର । ଏକଥା ଆମେ କହୁନୁ ବରଂ ଓଡ଼ିଶାର ସବୁ ଜାଗାରେ ଏମିତିକି ଗାଁ ଗହଳିରେ ଆୟାରଙ୍କୁ ନେଇ ଚାଲିଛି ଚର୍ଚ୍ଚା । ଗତ କିଛି ମାସ ତଳେ ଓଡ଼ିଶାର କଳା ସଂସ୍କୃତି ଏବଂ ଓଡ଼ିଶାର ବିଧାୟକମାନଙ୍କ ଉପରେ ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ ଗତ ଅକ୍ଟୋବର ମାସ ୨୨ ତାରିଖରେ ବନ୍ଧା ହୋଇଥିଲେ ଅଭିଜିତ ଆୟାର ମିତ୍ର । ବାସ୍ ଏହାପରେ ଅଭିଜିତଙ୍କ ନୂଆ ଠିକଣା ପାଲଟିଲା ଝାରପଡ଼ା ଜେଲ । ଗିରଫ ହେବା ଦିନ ପରଠାରୁ ଆଜି ପର୍ଯ୍ୟନ୍ତ ଅଭିଜିତଙ୍କ ଚାଲି, ଚଳଣୀ, ଆଚରଣ ଓ ଉଚାରଣ ସବୁ କିଛି ବଦଳିଯାଇଥିବା ଦେଖିବାକୁ ମିଳୁଛି । ଏପରିକି ଓଡ଼ିଶାର ଉପରେ ଥଟ୍ଟା ପରିହାସ ସତେ ଯେମିତି ତାଙ୍କ ପାଇଁ ଜୀବନର ସବୁଠୁ ବଡ଼ ଭୁଲ ବୋଲି ହୃଦଙ୍ଗମ କରିସାରିଲେଣି ମିତ୍ର ମହାଶୟ ।
ଗତ ସେପ୍ଟେମ୍ବର ମାସରେ ନିଜ ଟ୍ୱିଟର ଆକାଣ୍ଟରେ ଓଡ଼ିଶାର କଳା ସଂସ୍କୃତିର କଦର୍ଯ୍ୟ ଢ଼ଙ୍ଗରେ ପରିହାସ କରିଥିଲେ ଆୟାର । ଆଉ ଏହି ଥଟ୍ଟା ପରିହାସ ତାଙ୍କ ପାଇଁ ସଜା ପାଲଟିଯିବ ବୋଲି ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ନଥିଲେ ଅଭିଜିତ ଆୟାର । ଗତ ୨୨ ତାରିଖ ଦିନ ଗୃହ କମିଟିରେ ହାଜର ହେବା ସମୟରେ ଯେଉଁ ଅଭିତ୍ ଆୟାର ମିତ୍ରଙ୍କୁ ଦେଖିବାକୁ ମିଳିଥିଲା ଏବେ ସେ, ଅଭିଜିତ୍ ଆୟର ମିତ୍ରଙ୍କ ମୁହଁ ଶୁଖି କି କଳାକାଠ ପଡ଼ିଗଲାଣି ବୋଲି ଖଟିରେ ଜୋରଦାର ଚର୍ଚ୍ଚା ହେଉଛି । ଏହାର କାରଣ ଯିଏ ଦେଶ ବିଦେଶ ଘୁରି ବୁଲି ନିଜ ଟ୍ୱିଟରରେ ଥଟ୍ଟା ପରିହାସ କରୁଥିଲେ ଏବେ ଜେଲର ଚାରି କାଂଥ ଭିତରେ କଏଦୀ ପରି ରହୁଛନ୍ତି । ଆଉ ନିଜ ହସ ମଜାରେ କରିଥିବା ଭୁଲର ସଜା କାଟୁଛନ୍ତି ।
ଅନ୍ୟପଟେ ଅଭିଜିତଙ୍କ ବେଲ୍ ବାରମ୍ବାର ଖାରଜ ହେଉଛି ଯାହା ଅଭିଜିତଙ୍କ ଟେନସନ୍ ବଢ଼ାଇ ଦେଲାଣି । ଆଉ ଏହି ଟେନସନ ତାଙ୍କ ମୁହଁରେ ପ୍ରତିଫଳିତ ହେଉଥିବା ଦେଖିବାକୁ ମିଳୁଛି । ନିଜ ଭୁଲ ପାଇଁ ଗୃହ କମିଟିରେ ତିନି ତିନି ଥର ହାଜର ହେବା ସହ ସାଢ଼େ ୪ କୋଟି ଓଡ଼ିଆବାସୀଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି । ହେଲେ ସେ ଯେଉଁ ଭୁଲ କରିଛନ୍ତି ତାହାର ତଦନ୍ତ ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାରୁ ଚିନ୍ତାରେ ଝାଉଁଳି ପଡ଼ିଲେଣି ଆୟାର ମହାଶୟ ବୋଲି ଖଟିରେ ଚର୍ଚ୍ଚା ହେଉଛି ।