କନକ ବ୍ୟୁରୋ: ବିଶ୍ୱକପରେ ଦମ ଦେଖାଉଛି ଭାରତ । ୭ଟି ମ୍ୟାଚରେ ୭ଟି ବିଜୟୀ ହୋଇ ଦଳ ଟେବୁଲ ଟପ୍ପର ହୋଇଛି । ଆଉ ସେମି ଫାଇନାଲ ଟିକେଟ ପକ୍କା କରିଛି । ତେବେ ଦଳ ପାଇଁ ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲର ଦମଦାର ପ୍ରଦର୍ଶନ କରୁଛନ୍ତି । ହେଲେ ଏହି ବିଶ୍ୱକପରେ ଟିମ ଇଣ୍ଡିଆକୁ ମିଳିଛି ଜୟ-ଭୀରୁଙ୍କ ଯୋଡି । ଜଣେ ଫ୍ଲପ ହେଲେ ଅନ୍ୟ ଜଣେ ଦେଖାଉଛନ୍ତି ପାୱାର ଶୋ’ । ଆମେ ଆଉ କାହା କଥା କହୁନୁ ବରଂ କହୁଛୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ କଥା । ବିଶ୍ୱକପରେ ଏହି ଯୋଡି ଏବେ ଭାରତ ପାଇଁ ବଡ ଶକ୍ତି ପାଲଟିଛି । ଜଣେ ଆଉ ଆଉଟ ହୋଇଗଲେ ଆଉ ଜଣେ ପାଳି ସମ୍ଭାଳିବାର ଦକ୍ଷତା ରଖୁଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ବିଶ୍ୱକପରେ ଭାରତ ଏବେ ଯାଏଁ ଗୋଟିଏ ବି ମ୍ୟାଚରେ ପରାଜିତ ହୋଇନାହିଁ । କେଉଁ ମ୍ୟାଚରେ ବ୍ୟାଟ୍ସମ୍ୟାନ ନିଜ ଯାଦୁ ଦେଖାଉଛନ୍ତି ତ ଆଉ କେଉଁ ମ୍ୟାଚରେ ବୋଲର । ହେଲେ ଜୟ ଭୀରୁଙ୍କ ଯାଦୁ ସବୁ ମ୍ୟାଚରେ ଚାଲୁଛି । ଜଣେ ଯଦି ଗୋଟିଏ ମ୍ୟାଚରେ ଫ୍ଲପ ହେଇଯାଉଛି ଅନ୍ୟ ଜଣଙ୍କ ବ୍ୟାଟ ଗର୍ଜନ କରିଥାଏ । ତେବେ ନଜର ପକାଇବା କେଉଁ ମ୍ୟାଚରେ ଚାଲିଛି ରୋହିତ-କୋହଲିଙ୍କ ବ୍ୟାଟ –
ପ୍ରଥମ ମ୍ୟାଚରେ କୋହଲି ୮୫ ରନ୍
ଦ୍ୱିତୀୟ ମ୍ୟାଚରେ ରୋହିତ ୧୩୧ ରନ୍
ତୃତୀୟ ମ୍ୟାଚରେ ରୋହିତ ୮୬ ରନ୍
ଚତୁର୍ଥ ମ୍ୟାଚରେ କୋହଲି ୧୦୩ ରନ୍
ପଞ୍ଚମ ମ୍ୟାଚରେ କୋହଲି ୯୫ ରନ
ଷଷ୍ଠ ମ୍ୟାଚରେ ରୋହିତ ୮୭ ରନ୍
ସପ୍ତମ ମ୍ୟାଚରେ କୋହଲି ୮୮ ରନ୍
ଏହି ବିଶ୍ୱକପରେ ପ୍ରତି ମ୍ୟାଚରେ ରୋହିତ-କୋହଲିଙ୍କ ମଧ୍ୟରୁ ଜଣେ ୮୦ରୁ ଅଧିକ ରନ କରୁଛନ୍ତି, ଆଉ ନିଜ ଟିମକୁ ବିଜୟୀ କରାଉଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ରୋହିତ ଖାତା ଖୋଲିପାରିନଥିଲା ବେଳେ କୋହଲି ପାଳି ସମ୍ଭାଳିଥିଲେ ଆଉ ୮୫ ରନ କରି ଦଳକୁ ବିଜୟୀ କରାଇଥିଲେ । ସେହିପରି ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ରୋହିତ ୧୩୧ ରନ କରିଥିବା ବେଳେ କୋହଲି ୫୫ ରନ କରି ନଟଆଉଟ ରହିଥିଲେ । ତୃତୀୟ ମ୍ୟାଚ ପାକିସ୍ତାନ ବିପକ୍ଷରେ କୋହଲି ୧୬ ରନରେ ଆଉଟ ହୋଇଯାଇଥିଲେ, ହେଲେ ରୋହିତ ଶର୍ମା ୮୬ ରନ କରିଥିଲେ । ଏହାପରେ ଚତୁର୍ଥ ମ୍ୟାଚ ବାଂଲାଦେଶ ବିପକ୍ଷରେ ରୋହିତ ୪୮ ରନରେ ଆଉଟ ହୋଇଯାଇଥିଲେ ଆଉ କୋହଲି ୧୦୩ ରନ କରି ନଟଆଉଟ ରହିଥିଲେ । ପଞ୍ଚମ ମ୍ୟାଚରେ ବି ରୋହିତ ଶର୍ମା ୪୬ ରନ କରି ଆଉଟ ହୋଇଯାଇଥିଲେ ଆଉ କୋହଲି ପାଳି ସମ୍ଭାଳି ୯୫ ରନ କରିଥିଲେ । ସେହିପରି ଇଂଲଣ୍ଡ ବିପକ୍ଷରେ କୋହଲି ଖାତା ଖୋଲିପାରିନଥିଲା ବେଳେ ରୋହିତ ୮୭ ରନ କରି ଭାରତକୁ ବଡ ବିଜୟ ଦେଇଥିଲେ । ଆଉ ଗୁରୁବାର ଶ୍ରୀଲଙ୍କା ବିପକ୍ଷରେ ରୋହିତ ୪ ରନ କରି ପାଭିଲିୟନ ଫେରିଯାଇଥିଲା ବେଳେ କୋହଲି ୮୮ ରନର ପାଳି ଖେଳିଥିଲେ ।
ଏହି ଭଳି ଦମଦାର ଇଂନିସ ଖେଳି ରୋହିତ-କୋହଲି ଏବେ ହିଟ୍ ଫିଲ୍ମ ସୋଲେର ଜୟ-ଭୀରୁର ଯୋଡି ବନିଯାଇଛନ୍ତି । ଟିମ ଇଣ୍ଡିଆ ପାଇଁ ଏବେ ରୋହିତ ଆଉ କୋହଲି ଶକ୍ତି ପାଲଟିଛନ୍ତି । ଦଳକୁ ସେମିଫାଇନାଲରେ ପହଞ୍ଚାଇବାରେ ଏହି ଯୋଡିର ବହୁ ଅବଦାନ ରହିଛି । ତେବେ ଦେଖିବା ବାକି ରହିଲା ସେମିଫାଇନାଲ ଓ ଫାଇନାଲରେ ଜୟ-ଭୀରୁଙ୍କ ଯୋଡି କେମିତି କାମ ଦେଉଛି ।