ବିଧାନସଭାରେ ବର୍ଷିଲେ ବିରୋଧୀ । ସରକାରକୁ ଟାର୍ଗେଟ କଲେ ଜୟ ନାରାୟଣ, ନରସିଂହ । ଜବାବ ରଖିଲେ ବିଧାୟକ ଅରୁଣ ସାହୁ ।

Advertisment
ବିଧାନସଭାରେ ବର୍ଷିଲେ ବିରୋଧୀ । ସରକାରକୁ ଟାର୍ଗେଟ କଲେ ଜୟ ନାରାୟଣ, ନରସିଂହ । ଜବାବ ରଖିଲେ ବିଧାୟକ ଅରୁଣ ସାହୁ ।

କନକ ବ୍ୟୁରୋ: ବିଧାନସଭା ଶୂନ୍ୟକାଳରେ ଉଠିଲା ସଚିବଙ୍କ ଗସ୍ତ ପ୍ରସଙ୍ଗ । ଗୁରୁବାର  ସଚିବଙ୍କ ଗସ୍ତକୁ ନେଇ ସରକାରକୁ ଜୋରଦାର ଟାର୍ଗେଟ କରିଛନ୍ତି ବିରୋଧୀ । ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ସଚିବଙ୍କ ଗସ୍ତ ପ୍ରସଙ୍ଗ ଉଠାଇ ଆଜି ଗୃହରେ ବର୍ଷିଛନ୍ତି ।

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ କହିବା କଥା ହେଲା, ସେ ହେଲିକପ୍ଟର ହିସାବ ମାଗିନଥିଲେ । ହେଲେ ମୁଖ୍ୟମନ୍ତ୍ରୀ ୪୦ କୋଟି ଖର୍ଚ୍ଚ ହେଇଛି ବୋଲି କହିଲେ । କିନ୍ତୁ ଟେଣ୍ଟ ଏବଂ ଚେୟାର ପକେଇବା ଖର୍ଚ୍ଚ କେତେ? ସିକ୍ୟୁରିଟି ବାବଦକୁ କେତେ ଖର୍ଚ୍ଚ ହେଇଛି ସେ ନେଇ ମୁଖ୍ୟମନ୍ତ୍ରୀ ହିସାବ ଦିଅନ୍ତୁ ବୋଲି ଗୃହରେ କହିଛନ୍ତି ବିରୋଧୀ ଦଳ ନେତା । ତା ସହିତ ପାଲଲହଡା ବିଧାୟକଙ୍କ ବାହାଘର ଓ ତାଳଚେର ବିଧାୟକଙ୍କ ବାପା ଶୁଦ୍ଧିକ୍ରିୟାରେ ସଚିବ ଯିବା ସମୟରେ ହେଲିକପ୍ଟର ବ୍ୟବହାର କଣ ପାଇଁ ହେଇଥିଲା ଏବଂ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁରେ ବୁକ୍ ଥିବା ହେଲିକପ୍ଟରକୁ କଟକ ଯିବା ପାଇଁ ସଚିବ କେମିତି ବ୍ୟବହାର କଲେ ସେନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ଜୟ ନାରାୟଣ ।

କେବଳ ସେତିକି ନୁହେଁ, ସିଏମଓ କଣ ଜଣେ ବ୍ୟକ୍ତି? ଅଭିଯୋଗ ଶୁଣାଣି ପାଇଁ ଏତେ ବ୍ୟବସ୍ଥା ଥିବା ସତ୍ତେ୍ୱ ଯଦି ଜଣେ ଅଭିଯୋଗ ଶୁଣିବ, ତେବେ ଆମେ ଏତେ ଧଳାହାତୀ କାହିଁକି ପୋଷିବା ? ସରକାରକୁ ଏଠି ଲିଜରେ ଦିଆଯାଇଛି ବୋଲି କହିଛନ୍ତି ଜୟ ନାରାୟଣ ।

ଅନ୍ୟପଟେ ନରସିଂହ ମିଶ୍ର ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଗୃହରେ କହିଛନ୍ତି ଯେ, ସିଏମଓ କଣ ପାଇଁ ଗାନ୍ଧୀମାର୍ଗରେ ଥିବା ଆନ୍ଦୋଳନରତଙ୍କ ସମସ୍ୟା ବୁଝିବାକୁ ଯାଉନି । ସରକାର ଏହାକୁ ଏତେ ଦ୍ୱନ୍ଦ୍ୱ କଣ ପାଇଁ ସୃଷ୍ଟି କରିଛନ୍ତି ? ଶାସକ ଦଳର ମନ୍ତ୍ରୀ ବିଧାୟକ ଓ ସାଂସଦ ଚୌକି ବୋହିବା ପାଇଁ, ଗାତ ଖୋଳିବା ପାଇଁ ଏବଂ ସଚିବଙ୍କ ସଭା ବାନ୍ଧିବା ପାଇଁ ଅଛନ୍ତି କି? ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ।

ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଯୋଗ ଶୁଣାଣି ମାନେ ନୁହେଁ ଟଙ୍କା ବାଣ୍ଟିବା । ଅଭିଯୋଗ ଶୁଣାଣିର ଅର୍ଥ ନୁହେଁ ଶାସକ ଦଳକୁ ନିର୍ବାଚିତ କରିବା । ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନବିରୋଧୀ କହିବା ଠିକ୍ ନୁହେଁ, ଏହା ଅଗଣତାନ୍ତ୍ରିକ । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି । କେନ୍ଦ୍ର ସରକାର ଚିଠି କରିଛନ୍ତି ତାଙ୍କ ଉପରେ ତଦନ୍ତ କରିବାକୁ କିନ୍ତୁ ତାହା ହେଇପାରୁନି ।

ସେପଟେ ବିରୋଧୀଙ୍କ ଏ ଟାର୍ଗେଟ ଭିତରେ ଏହାର ଜବାବ୍ ଦେଇଛନ୍ତି ବିଧାୟକ ଅରୁଣ ସାହୁ । ବିରୋଧୀମାନେ ଜ୍ଞାନ ବାଣ୍ଟୁଛନ୍ତି, କିନ୍ତୁ ଜ୍ଞାନ ଗ୍ରହଣ କରୁନାହାଁନ୍ତି । ବିଧାନସଭା ଜ୍ଞାନ ବିତରଣ ସଭା ନୁହେଁ ଯେ, ଗୃହରେ ଯାହା ଚାହିଁବେ କହିବେ । ତେଣୁ ସୁପର ସିଏମ୍ ଶବ୍ଦକୁ ବାଦ୍ ଦେବାକୁ ଅରୁଣ ବାଚସ୍ପତିଙ୍କୁ ଦାବି କରିଛନ୍ତି । ଅନ୍ୟପଟେ ଯେଉଁମାନେ ଅଭିଯୋଗ ଆଣୁଛନ୍ତି, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଭଲ ନାହିଁ । ସେମାନେ ସମ୍ପୂର୍ଣ୍ଣ ତଥ୍ୟ ନେଇ ଆସନ୍ତୁ ବୋଲି କହିଛନ୍ତି ଅରୁଣ । ୫-ଟି ହେଉଛି ଏକ ଚିନ୍ତାଧାରା, ଯିଏ ପ୍ରଭାବିତ ହୁଅନ୍ତୁ କି ନହୁଅନ୍ତୁ, ଦୁଇ ବିରୋଧୀ କିନ୍ତୁ ଏହାଦ୍ୱାରା ବେଶି ପ୍ରଭାବିତ ହୋଇଛନ୍ତି ବୋଲି ବିଜେଡି ବିଧାୟକ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe