ଟିକାକରଣକୁ ବ୍ୟାପକ କରିବା ପାଇଁ କେଜ୍ରିୱାଲ ସରକାର ଆରମ୍ଭ କଲେ ‘ବୁଥ୍ ଯେଉଁଠି, ଟିକା ଦିଆଯିବ ସେଇଠି’ ଯୋଜନା । ଜୁନ୍ ମାସ ଭିତରେ ୪୫ ବର୍ଷରୁ ଅଧିକଙ୍କୁ ଟିକାକରଣର ଟାର୍ଗେଟ୍ ।

104

କନକ ବ୍ୟୁରୋ: ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହରକୁ ସଫଳତାର ସହ ମୁକାବିଲା କରିବା ପରେ ଦିଲ୍ଲୀ ସରକାର ଏବେ ଫୋକସ୍ କରିଛନ୍ତି ଭାକସିନେସନ୍ ବା ଟିକାକରଣ ଉପରେ । ଆଗାମୀ ୪ ସପ୍ତାହ ମଧ୍ୟରେ ଅର୍ଥାତ୍ ଜୁନ୍ ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରିବାକୁ ପ୍ଲାନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

୪୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଟିକାକରଣ ଶେଷ କରିବାକୁ ଏବେ ନୂଆ ବାଟ ଆପଣାଇଛନ୍ତି ଦିଲ୍ଲୀ ସରକାର । ଟିକାକରଣରେ ଅଧିକରୁ ଅଧିକ ଲୋକଙ୍କୁ ଆକର୍ଷିତ କରିବାକୁ ଦିଲ୍ଲୀ ସରକାର ଏବେ ଲୋକଙ୍କ ଘରକୁ ଘର ପହଁଚି ଟିକା ନେବା ପାଇଁ ଲୋକଙ୍କୁ ଉତ୍ସାହିତ କରିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି । ଆଜି ଦିଲ୍ଲୀରେ ଯାହାଁ ଭୋଟ୍ ୱାହାଁ ଭାକସିନ୍ , ଡ୍ରାଇଭ୍ ଆରମ୍ଭ ଅବସରରେ ଏନେଇ ସୂଚନା ଦେଇଛନ୍ତି କେଜ୍ରିୱାଲ ।

କେଜ୍ରିୱାଲଙ୍କ ଫୋକସ୍ ଆସନ୍ତା ୪ ସପ୍ତାହ ମଧ୍ୟରେ ଦିଲ୍ଲୀରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଶେଷ କରିବାକୁ । ହିସାବ କହୁଛି ଯଦି କେନ୍ଦ୍ର ସରକାରଙ୍କ ଠାରୁ ଆବଶ୍ୟକତା ଅନୁସାରେ ଟିକା ମିଳିଯିବ , ତେବେ ଦିଲ୍ଲୀ ସରକାର ଜୁନ୍ ମାସ ଶେଷ ସୁଦ୍ଧା ଦିଲ୍ଲୀରେ ପ୍ରାୟ ୫୭ ଲକ୍ଷ ଲୋକଙ୍କୁ ଟିକା କରଣ କରିପାରିବେ । ଭୋଟ୍ ଦେବା ବେଳେ ଯେଉଁ ବୁଥରେ ସେମାନେ ଭୋଟ୍ ଦେଇଥିଲେ, ସେହି ବୁଥରେ ହିଁ ସେମାନଙ୍କ ଟିକାକରଣ କରିବାକୁ ଯୋଜନା କରିଛନ୍ତି ଦିଲ୍ଲୀ ସରକାର । ଏଥିପାଇଁ ବୁଥ୍ ସ୍ତରୀୟ ଅଫିସରଙ୍କୁ ତାଲିମ ଦିଆଯାଇ ଦାୟିତ୍ୱ ଦିଆଯାଇଛି । ଘରକୁ ଘର ପହଁଚି ଏହି ବୁଥ୍ ସ୍ତରୀୟ ଅଫିସର ଲୋକଙ୍କୁ ଟିକାନେବାକୁ ଅଧିକ ଉତ୍ସାହିତ କରିବେ ।

ସେପଟେ ଦିଲ୍ଲୀରେ ଜାରି ରହିଛି ଡ୍ରାଇଭ୍ ଇନ୍ ଭାକସିନ୍ । କମନୱେଲଥ ଭିଲେଜ ସେଂଟରରେ ଏହାର ସୁବିଧା କରାଯାଇଛି । ଟିକା ନେବାରୁ ବଂଚିତ ବ୍ୟକ୍ତି ଏଠାରେ ପହଁଚିଲେ ଅତି ସହଜରେ ଟିକା ନେଇ ଯାଇପାରିବେ । ଅଧିକରୁ ଅଧିକ ଦିଲ୍ଲୀବାସୀଙ୍କୁ ଟିକାକରଣ କରିବାକୁ ଏପରି ଯୋଜନା କରାଯାଇଛି । ଦିଲ୍ଲୀରେ ପଜିଟିଭିଟି ହାର ୧ ରୁ କମ୍ ରହିଛି । ଏପରି ସମୟରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦେଇ କରୋନା ମୁକାବିଲା ବାଟ ବାଛିଛନ୍ତି କେଜ୍ରିୱାଲ ସରକାର ।