ସାରୁଅ ଜମି ଦୁର୍ନୀତି ମାମଲାରେ ବଢ଼ିଲା ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଅଡୁଆ : ହଟିଗଲା ଅନ୍ତରୀଣ ସୁରକ୍ଷା, ବଢ଼ିଲା ଗିରଫ ଭୟ

ତଦନ୍ତକୁ ଚ୍ୟାଲେଂଜ କରି ହାଇକୋର୍ଟ ଯାଇଥିଲା ଓଡ଼ିଶା ଇନଫ୍ରାଟେକ୍ ; ଆବେଦନ ଖାରଜ, ତଦନ୍ତ ପାଇଁ ଫିଟିଲା ବାଟ

511

କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ମାମଲାରେ ବଢ଼ିଲା ଓଡିଶା ଇନଫ୍ରାଟେକର ପ୍ରମୋଟର ଜାଗୀ ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଅଡୁଆ । ତଦନ୍ତ ବିରୋଧରେ ହାଇକୋର୍ଟରେ ଯେଉଁ ଆବେଦନ କରିଥିଲା ଓଡ଼ିଶା ଇନଫ୍ରାଟେକ୍, ତାକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଏହାସହ ସେମାନଙ୍କୁ ହାଇକୋର୍ଟ ଦେଇଥିବା ଅନ୍ତରୀକ୍ଷ ସୁରକ୍ଷା ମଧ୍ୟ ହଟିଯାଇଛି । ଜମି କିଣାବିକାରେ ଜାଲିଆତି ଓ ବେନାମୀ ଆର୍ଥିକ କାରବାରର ତଦନ୍ତକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ୍ ଲିମିଟେଡ୍ ।

ଏହି ମାମଲାର ଶୁଣାଣି ବେଳେ କମ୍ପାନୀର କିଛି ବରିଷ୍ଠ ଅଧିକାରୀଙ୍କ ସମେତ ବୈଜୟନ୍ତ ପଣ୍ଡା ଓ ଜାଗୀ ମଙ୍ଗତ ପଣ୍ଡା ଗିରଫଦାରୀ ଭୟ ଏଡାଇବା ପାଇଁ ଅନ୍ତରୀଣ ସୁରକ୍ଷା ମାଗିଥିଲେ । ୧୨ତାରିଖ ପର୍ଯ୍ୟନ୍ତ ବୈଜୟନ୍ତ ପଣ୍ଡା ଓ ଜାଗୀ ପଣ୍ଡାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ହାଇକୋର୍ଟ । ହେଲେ ଆଜି ଓଡ଼ିଶା ଇନଫ୍ରାଟେକ୍ରର ଆବେଦନକୁ ହାଇକୋର୍ଟ ସଂପୂର୍ଣ୍ଣ ଖାରଜ କରିଛନ୍ତି । ଏହା ଦ୍ୱାରା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟି ଯାଇଛି । ଯାହା ଫଳରେ ତଦନ୍ତ ପାଇଁ ବାଟ ଫିଟିବା ସହ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଗିରଫଦାରୀ ଭୟ ମଧ୍ୟ ବଢ଼ିଛି ।

କେମତି ହୋଇଥିଲା ଏହି ବେଆଇନ କାରବାର । ଚଂଚକତା କରି ଖୋର୍ଦ୍ଧା ସାରୁଅରେ ଥିବା ଅନୁସୂଚିତ ଜାତିର ୭.୨୯୪ ଏକର ଜମିକୁ ହଡପ୍ କରିଛି ଓଡ଼ିଶା ଇନଫ୍ରାଟେକର ପ୍ରାଇଭେଟ ଲିମିଟେଡ୍ । ଆଉ ଏହି ଅଭିଯୋଗ ପଛରେ ବଡ଼ ଧରଣର ଷଡଯନ୍ତ୍ର କରିଥିଲା କଂପାନୀ । ଅନୁସୂଚିତ ଜାତି ଲୋକଙ୍କ ଜମିକୁ କିଣିବା ନେଇ ଆଇନରେ ପ୍ରତିବନ୍ଧକ ଥିବାରୁ ଚଂଚକତା କରି କଂପାନୀରେ କାମ କରୁଥିବା ଜଣେ ଡ୍ରାଇଭର ରବି ସେଠୀଙ୍କୁ ବ୍ୟବହାର କରାଯାଇଥିଲା । ରବି ସେଠୀ ନିଜେ ଅନୁସୂଚିତ ଜାତିର ହୋଇଥିବାରୁ ଅନୁସୂଚିତ ଜାତିର ଲୋକଙ୍କ ଜମିକୁ ତାଙ୍କ ନାଁରେ କିଣା ଯାଇଥିଲା ଏବଂ ସେହି ଜମିକୁ ଓଡ଼ିଶା ଇନଫ୍ରାଟେକକୁ ହସ୍ତାନ୍ତର କରାଯାଇଥିଲା ।

ତେବେ ରବି ସେଠୀଙ୍କୁ ଏଥିପାଇଁ କୌଣସି ଟଙ୍କା ଦିଆଯାଇନଥିବା ତଦନ୍ତରୁ ଜଣାପଡ଼ିଛି । କ୍ରାଇମବ୍ରାଂଚ୍ର ସୂଚନା ଅନୁସାରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ମୁଖ୍ୟ ପ୍ରମୋଟର ହେଉଛନ୍ତି ବୈଜୟନ୍ତ ପଣ୍ଡା ଓ ଜଗିମଙ୍ଗତ ପଣ୍ଡା । କ୍ରାଇମବ୍ରାଂଚ ଏଡିଜି ପ୍ରେସ୍ ମିଟ୍ କରି ସାରୁଅ ଜମି ଚଂଚକତାର ପୂରା କାହାଣୀ ଗଣମାଧ୍ୟମକୁ ଜଣାଇଥିଲେ । ହାଇକୋର୍ଟଙ୍କ ସୁରକ୍ଷା ହଟିଯିବା ପରେ ବର୍ତ୍ତମାନ ମାମଲା କେଉଁ ମୋଡ ନେବ ତା’ ଉପରେ ରହିଛି ସମସ୍ତଙ୍କ ନଜର ।