ମୂଷା ଧରିବାକୁ ଗର୍ଭଗୃହରେ ରଖାଗଲା ଗୁଡ ମାଠିଆ: ପଡିଲାନି ମୂଷା, ଆସିବ ବଡ ମାଠିଆ

372

କନକ ବ୍ୟୁରୋ: ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢାଇଛି । ଆଉ ଏବାର ନିରାକରଣ ପାଇଁ ଉଦ୍ୟମ ଆରମ୍ଭ କରଛି ପ୍ରଶାସନ । ଆଉ ମୂଷା ନିରାକରଣ ପାଇଁ କୁଡୁଆ ଓ ପଲମ ବଦଳରେ ରଖାଯାଇଛି ଗୁଡ ମାଠିଆ । ତଳଛୁ ସେବାୟତ ବ୍ରହ୍ମପୁର କୁମ୍ଭାରଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ମାଠିଆରେ ଗୁଡଭର୍ତି କରି ଗତକାଲି ରାତିରୁ ଗର୍ଭଗୃହରେ ରଖିଥିଲେ । ତେବେ ମୂଷା ନ ପଡିବାକୁ ବଡ ମାଠିଆ ଆଣିବାକୁ ବରାଦ ଦିଆଯାଇଛି । ରଥଯାତ୍ରା ସମୟରେ ଗର୍ଭଗୃହରେ ମୂଷା ନିରାକରଣ ସ୍ଥାୟୀ ସମାଧାନ କରାଯିବ ବୋଲି କହିଛି ବରିଷ୍ଠ ଦଇତାପତି ସେବାୟତ ।

ରତ୍ନବେଦୀ ଚାରିପଟେ ଓ କନକମୁଣ୍ଡି ଚାନ୍ଦୁଆରେ ବଡ ବଡ ମୂଷା ଉତ୍ପାତ କରୁଛନ୍ତି । ସେବାୟତଙ୍କ ଅସନ୍ତୋଷ ପରେ ମୂଷାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଶୈଳୀରେ ଗୁଡମାଠିଆ ରଖାଯିବ । ଆଉ ପାରମ୍ପରିକ ଢଙ୍ଗରେ ମୂଷା ଧରାଯିବ । ଆଉ ମୂଷା ଧରାଯିବା ପରେ ଏହାକୁ ବାହାରେ ଛଡାଯିବ । ଖୁବଶୀଘ୍ର ମୂଷାଙ୍କ ଉତ୍ପାତ ବନ୍ଦ ନହେଲେ ମହାପ୍ରଭୁଙ୍କ ଶ୍ରୀଅଙ୍ଗପ୍ରତି ବିପଦ ଅଛି ବୋଲି କହିଛନ୍ତି ଛାମୁଖୁଂଟିଆ ନିଯୋଗ ସମ୍ପାଦକ ।

ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଧରିବାକୁ ଆଉ ଅତ୍ୟାଧୁନିକ ମେସିନ ଲାଗିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇସାରିଛି । ଏବେ ପାରମ୍ପିରକ ରୀତିରେ କିଭଳି ମୂଷା ଧରାହେବ, ତା ଉପରେ କୋଟି କୋଟି ଜଗନ୍ନାଥପ୍ରେମୀ ନଜର ରଖିଛନ୍ତି ।