ଦ୍ୱିତୀୟ ଦିନରେ ମହାବାହୂଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ । ମାଛ ମାର୍କେଟ ନିକଟରୁ କରାଯାଇଛି ବ୍ୟାରିକେଟ୍ । ପରିଚୟପତ୍ର ବାଧ୍ୟତାମୂଳକ କରିଛି ପ୍ରଶାସନ ।

80

କନକ ବ୍ୟୁରୋ : ଆରମ୍ଭ ହେଲା ପୁରୀବାସୀଙ୍କ ଜଗା ଦର୍ଶନ । ବ୍ୟାରିକେଡରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମାର୍କେଟ୍ ଛକରୁ ଶ୍ରୀମନ୍ଦିର ଯାଏଁ ବ୍ୟାରିକେଡ୍ କରାଯାଇଛି । ପ୍ରଥମେ ଟୋକନ ପରିଚୟ ପତ୍ରର ଯାଂଚ୍ କରାଯାଇ ବାହାରକୁ ଛଡାଯାଉଛି । କିଓସ୍କ ମାଧ୍ୟମରେ ଭକ୍ତଙ୍କ ଫଟୋଗ୍ରାଫି ହେଉଛି । ଏହାପରେ କୋଭିଡ କଟକଣା ମଧ୍ୟରେ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରି ଠାକୁରଙ୍କ ଦର୍ଶନ କରି ଉତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ଏଥିପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାଙ୍ଗରେ ପରିଚୟପତ୍ର ଆଣିବାକୁ ପୁରୀବାସୀଙ୍କୁ ପରାମର୍ଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଦର୍ଶନର ୨ ଦିନ ପୂର୍ବରୁ ଚିରକୁଟି ଯୋଗାଇ ଦିଆଯାଇଛି । ସ୍ୱଛ ସାଥୀଙ୍କ ଜରିଆରେ ଏହି ଟୋକନ୍ ବଂଟା ଯାଇଛି । ଯେଉଁମାନେ ଟୋକନ ପାଇନଥିବେ, ସେମାନଙ୍କ ପାଇଁ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ସ୍ୱତନ୍ତ୍ର ଟୋକନ୍ କାଉଁଟର କରାଯାଇଛି ।

ପ୍ରଥମ ଦଫାରେ ଆଜି ପୁରୀର ୭ଟି ୱାର୍ଡର ଲୋକ ଶ୍ରୀମନ୍ଦିରରେ ପ୍ରବେଶ କରି ବଡ ଠାକୁରଙ୍କୁ ଦର୍ଶନ କରିପାରିବେ । ମନ୍ଦିର ଭିତରେ ଓ ବାହାରେ ମାସ୍କ ପିନ୍ଧିବା ଜରୁରୀ । ମନ୍ଦିର ଭିତରକୁ ଯିବା ସମୟରେ ହାତକୁ ସାନିଟାଇଜ କରିବେ । ସାମାଜିକ ଦୂରତା ରକ୍ଷା କରିବେ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ମୋଟ ୧୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଦର୍ଶନ ଶୃଂଖଳିତ କରିବାକୁ ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ୱେଛାସେବୀ ନିୟୋଜିତ ହେବେ ବୋଲି କହିଛନ୍ତି ଜିଲ୍ଲାପାଳ । ୯ ମାସ ପରେ ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମେ ସେବାୟତ ଓ ସେବାୟତଙ୍କ ପରିବାରକୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ଦିଆଯାଇଥିଲା ।