ଦନ୍ତେୱାଡା ବିସ୍ଫୋରଣ : କୁଖ୍ୟାତ ମାଓନେତା ଜଗଦୀଶ ବିସ୍ଫୋରଣ ଘଟାଇଥିବା ସ୍ପଷ୍ଟ । ହିଡମାର ନିର୍ଦ୍ଦେଶରେ ଯୋଜନାକୁ କରିଥିଲା କାର୍ଯ୍ୟକାରୀ

554

କନକ ବ୍ୟୁରୋ : ଛତିଶଗଡ଼ ଦନ୍ତେୱାଡା ବିସ୍ଫୋରଣ ପଛରେ ମାଓ ନେତା ହିଡମାର ହାତ ଥିବା ସ୍ପଷ୍ଟ ହୋଇଛି । ହିଡମାର ଯୋଜନା ମୁତାବକ ଓ ନିର୍ଦ୍ଦେଶ ଅନୁସାରେ ମାଓ ନେତା ଜଗଦିଶ, ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି ବିସ୍ଫୋରଣ ଘଟାଇଥିବା ସ୍ପଷ୍ଟ ହୋଇଛି । ଅରନପୁର ବିସ୍ଫୋରଣ ଦିନ ଜଗଦିଶ ଏକେ-୪୭ ବନ୍ଧୁକ ଧରି ଘଟଣାସ୍ଥଳରେ ଉପସ୍ଥିତ ରହି ପୁରା ଅପରେସନର ନେତୃତ୍ୱ ନେଇଥିଲା । ବିସ୍ଫୋରଣ ପରେ ଯବାନଙ୍କ ଉପରେ ଗୁଳି କରିଥିଲା । ମାଓ ନେତା ହିଡମାର ନିର୍ଦ୍ଦେଶ ଅନୁଯାୟୀ ପୂରା ଯୋଜନାକୁ କାର୍ଯ୍ୟକାରୀ କରିଥିଲା ଜଗଦିଶ ।

ଦରଭା ଡିଭିଜନାଲ କମିଟି ଅନ୍ତର୍ଗତ କଟେକଲ୍ୟାଣ ଏରିଆ କମିଟିର ସଚିବ ଭାବେ ସକ୍ରୀୟ ଜଗଦିଶ । ବଡ଼ ବଡ଼ ହିଂସାକାଣ୍ଡ ଘଟାଇଥିବାରୁ ଜଗଦିଶକୁ ମାଓବାଦୀଙ୍କ ମିଲିଟାରୀ ଦଲମରେ ସାମିଲ କରାଯାଇଛି । ଜଗଦିଶର ନିଜ ଘର ସୁକମା ଜିଲ୍ଲା ପୁବର୍ତୀ ଗାଁରେ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ହେମଲା, ଦରଭା ଡିଭିଜନର ଡାକ୍ତରୀ ଦଳର ସକ୍ରୀୟ ସଦସ୍ୟା । ଜଗଦିଶର ଶ୍ୱଶୁର ବିନୋଦ, କାଙ୍ଗେର ଘାଟୀ ଏରିଆ କମିଟିର ମୁଖ୍ୟ ଥିବା ଜଣାପଡିଛି । ଜଗଦିଶଙ୍କର ନାଁରେ ୫ଲକ୍ଷ ଟଙ୍କାର ପୁରଷ୍କାର ଥିବା ବେଳେ ଏକେ-୪୭ ବନ୍ଧୁକ ଧରି ଜଙ୍ଗଲରେ ରାଜ କରୁଥିଲେ । ଜଗଦିଶର ଅନ୍ୟ ୧୦ ମାଓବାଦୀଙ୍କ ନାଁରେ ମାମଲା ରୁଜୁ କରି ଧରପକଡକୁ ଜୋରଦାର କରିଛି ଦନ୍ତେୱାଡା ପୋଲିସ । ଛତିଶଗଡ ଦନ୍ତୋୱାଡାର ଅରନପୁର ଜଙ୍ଗଲରେ ଡିଆରଜି ଯବାନଙ୍କ ଉପରେ ଆକ୍ରମଣ ହୋଇଥିଲା । ଗତ ବୁଧବାର ହୋଇଥିବା ଏହି ବିସ୍ଫୋରଣରେ ୧୦ଡିଆରଜି ଯବାନ ସହିଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମୃତ ହୋଇଥିଲା । ଅପରେସନ୍ ସାରି ଫେରୁଥିବାବେଳେ ହୋଇଥିଲା ଆକ୍ରମଣ ।