ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରସଙ୍ଗ : ବନ ବିଭାଗ ପକ୍ଷରୁ ପ୍ରଚାର ହେବା ପରେ ମେଳି ବାନ୍ଧିଛନ୍ତି ଘେରି ମାଲିକ ଓ ଶ୍ରମିକ । ଆତ୍ମାହୁତି ଦେବାକୁ ପ୍ରଶାସନକୁ ଦେଇଛନ୍ତି ଧମକ

64

କନକ ବ୍ୟୁରୋ : ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ବନ ବିଭାଗ ପକ୍ଷରୁ ପ୍ରଚାର ହେବା ପରେ ମେଳି ବାନ୍ଧିଛନ୍ତି ଘେରି ମାଲିକ ଓ ଶ୍ରମିକ । ୨୦ରୁ ଅଧିକ ଗାଡ଼ିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଘେରି ଉଚ୍ଛେଦ ନକରିବା ପାଇଁ ଦାବି ପତ୍ର ଦେଇଛନ୍ତି । ଯଦି ପ୍ରଶାସନିକ ସ୍ତରରେ ଜମି ଉପରୁ ଆମକୁ ଉଚ୍ଛେଦ କରନ୍ତି ତେବେ ନିଜର ଜୀବନ ଜିବିକା ପାଇଁ ଆତ୍ମାହୁତି ଦେବାକୁ ପଛାଇବୁ ନାହିଁ ବୋଲି କହିଛନ୍ତି । ତେଣୁ ପ୍ରଶାସନ ଏଥିରୁ ବିରତି ରହିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

ତେବେ ଖୋଲା ଖୋଲି ପ୍ରଶାସନକୁ ଏଭଳି ଧମକ ଦେବା ପଛରେ କିଏ ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଦାବିପତ୍ର ଦେବାକୁ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଘେରି ଶ୍ରମିକ । ଯେଉଁମାନେ ବାହାର ଜିଲ୍ଲାରୁ ଆସି ଘେରିରେ ରହି କାମ କରୁଛନ୍ତି । କିଛି ଚାଷୀ ଅଛନ୍ତି ଯେଉଁମାନେ ପ୍ରକୃତରେ ଏହି ଘେରି କରି ନିଜର ଜୀବନ ଜିବିକା ନିର୍ବାହ କରିଥାନ୍ତି ତାଙ୍କୁ ମାଫିଆମାନେ ମୋହରା ସଜାଇଛନ୍ତି ।

ଆଜିଠାରୁ ଘେରି ଉଚ୍ଛେଦ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ତେବେ ଏକ ପ୍ରତିନିଧି ଦଳ ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁଙ୍କୁ ଭେଟି ଦାବି ପତ୍ର ଦେଇଥିବା ବେଳେ ପରେ ଜିଲ୍ଲାପାଳଙ୍କୁ ଭେଟି ଘେରି ଉଚ୍ଛେଦ ନକରିବାକୁ ଦାବି କରିଥିଲେ । ହେଲେ ଜିଲ୍ଲାପାଳ ସରକାରୀ ନିୟମ ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି ।