ଅଧାଗଢ଼ା ପୋଲ ତଳେ ବିପଦ ସଂକୁଳ ନୌକା ଯାତ୍ରା । ୪ବର୍ଷ ହେଲା ଅଧାରେ ପଡିଛି ଜଗତସିଂହପୁର ଗାରୋଇରେ ନିର୍ମିତ ବିଜୁ ସେତୁ

35

କନକ ବ୍ୟୁରୋ : ଶିଳାନ୍ୟାସକୁ ୪ ବର୍ଷ ବିତିଲାଣି । ନିର୍ମାଣ ଅବଧି ୨ ବର୍ଷ ହେଲା ସରିଲାଣି । ହେଲେ ଏଯାଏଁ ସେତୁ ନିର୍ମାଣ ଶେଷ ହୋଇନାହିଁ । ଦେବୀ ନଦୀ ଉପରେ ପୋଲ ଠିଆ ହୋଇଥିବା ବେଳେ ପୋଲକୁ ସଂଯୋଗ କରୁଥିବା ଆପ୍ରୋଚ ରୋଡ ନିର୍ମାଣ ହୋଇପାରୁ ନଥିବାରୁ ଜଗତସିଂହପୁର ଗାରୋଇ ଦେବୀ ନଦୀରେ ବିପଦପୂର୍ଣ୍ଣ ଭାବେ ନୌକା ଯାତ୍ରା କରୁଛନ୍ତି ଯାତ୍ରୀ ।

ମୋଟର ଚାଳିତ ଡଙ୍ଗାରେ ଅତିବିପଦ ସଂକୁଳ ଅବସ୍ଥାରେ ଦେବୀ ନଦୀ ପାର ହେଉଛନ୍ତି ଯାତ୍ରୀ । ଗୋଟିଏ ଡଙ୍ଗାରେ ଥରକେ ୫-୬ଟି ବାଇକ୍ ସହ ପ୍ରାୟ ୧୫ ଜଣ ଲୋକ ନଦୀ ପାର ହେଉଛନ୍ତି । ଏଭଳି ନୌକା ଯାତ୍ରା ଚାଲିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗାରେଇ ନିକଟସ୍ଥ ଡାହାଣିଖିଆ ଓ ସୁଆକଣ ଦେବୀ ନଦୀରେ । ଲୋକେ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଥିବା ବେଳେ ଡଙ୍ଗାରେ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

ଦେବୀ ନଦୀ ଡାହାଣିଖିଆ ଓ ସୁଆକଣ ଘାଟରେ ବିଜୁ ସେତୁ ନିର୍ମାଣ ପାଇଁ ୨୦୧୪ ଜାନୁଆରୀରେ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଗତସିଂହପୁର ଜିଲ୍ଲା ଓ ପୁରୀ ଜିଲ୍ଲାକୁ ସଂଯୋଗ କରିବା ଉଦ୍ଦେଶ୍ୟରେ ୫୦ କୋଟି ବ୍ୟୟ ଅଟକଳରେ ୨ଟି ସେତୁ ନିର୍ମାଣ କରାଯାଇଛି । ୨ ବର୍ଷ ମଧ୍ୟରେ ସେତୁ ନିର୍ମାଣ ସାରିବା ପାଇଁ ଡେଡଲାଇନ୍ ଥିବା ବେଳେ ୪ ବର୍ଷ ହେଲାଣି ପୋଲର ଉଭୟ ପଟରେ ଆପ୍ରୋଚ ରୋଡ ହୋଇପାରିନାହିଁ । ଫଳରେ ପୋଲ ଦୁଇଟି ଅଧାରେ ପଡିଛି । ଲୋକ ଡଙ୍ଗାରେ ଦେବୀନଦୀ ପାର ହେଉଛନ୍ତି ।

ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ପୋଲ ନିର୍ମାଣ •ଲିଥିବା ବେଳେ ଠିକାଦର ଅଧାରୁ କାମ ବନ୍ଦ କରିବା ଦେବାରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିବା ସ୍ୱୀକାର କରିଛନ୍ତି ବିଭାଗୀୟ ଅଧିକାରୀ । ତେବେ ଜିଲ୍ଲାବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସେତୁ ଦୁଇଟିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହେଉଛି ।