ଶିଆଳି ବେଳାଭୂମିରେ କୂଳ ଲଙ୍ଘୁଛି ସମୁଦ୍ର । ଜୀବନ ଜୀବିକାକୁ ନେଇ ଆଶା ଆଶଙ୍କାରେ ସମୁଦ୍ର କୂଳିଆ ଲୋକ ।

395

କନକ ବ୍ୟୁରୋ : କୂଳ ଲଙ୍ଘୁଛି ସମୁଦ୍ର । ଧିରେଧିରେ ଗାଁ ଭିତରକୁ ମାଡି ଆସିଲାଣି ସମୁଦ୍ର ପାଣି । ଜଗତସିଂହପୁର ଜିଲ୍ଲା ଶିଆଳି ବେଳାଭୂମିର ଚିନ୍ତାଜନକ ଚିତ୍ର ଏବେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ନିଦ ହଜେଇ ଦେଇଛି । ସାତଭାୟା ଭଳି ଶିଆଳି ବି ସମୁଦ୍ର ଗର୍ଭକୁ ଚାଲିଯିବାର ଭୟ ରହିଛି ।

କେନ୍ଦ୍ରାପଡା ଜିଲ୍ଲାର ସାତଭାୟା ଭଳି ସମୁଦ୍ର ଗର୍ଭରେ ଲୀନ ହୋଇ ଯିବନି ତ ଜଗତସିଂହପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳି ଶିଆଳି । ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲେ ବି ଏହାର ଉନ୍ନତିକରଣ ପାଇଁ କାହାର ନଜର ନାହିଁ । ଫଳରେ ଭାଙ୍ଗିବାକୁ ବସିଛି ୧୦ ବର୍ଷ ତଳେ ନିର୍ମାଣ ହୋଇଥିବା ସିଆଳି ଭ୍ୟୁ ଟାୱାର । କେଉଁ ମୁହୂର୍ତ୍ତରେ ଟଳି ଯାଇପାରେ ଦୁଇ ମହଲା କୋଠା ବିଶିଷ୍ଟ ଏହି ଭ୍ୟୁ ଟାୱାର । କାରଣ କୂଳ ଲଙ୍ଘୁଛି ସମୁଦ୍ର । ସମୁଦ୍ର ଗର୍ଭକୁ ଚାଲି ଗଲାଣି ତଟକୁ ସୁରକ୍ଷା ଦେଉଥିବା ଝାଉଁ ବଣ । କଳାବେଦୀ ଅଞ୍ଚଳରେ ଏବେ ଧିରେଧିରେ ଗାଁ ଭିତରକୁ ମାଡି ଆସିଲାଣି ସମୁଦ୍ର ପାଣି । ଫଳରେ ଜୀବନ ଜୀବିକାକୁ ନେଇ ଆଶା ଆଶଙ୍କାରେ ସମୁଦ୍ର କୂଳିଆ ଲୋକ ।

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ଶିଆଳି ବେଳାଭୂମିକୁ ଲୋକେ ବୁଲିବାକୁ ଆସନ୍ତି । ଏଠାରେ ଭୋଜି କରନ୍ତି, ହେଲେ ବର୍ତ୍ତମାନର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ପର୍ଯ୍ୟଟକ ଆସିବେ କଣ ସ୍ଥାନୀୟ ଲୋକ ଏଠାରେ ରହିବା ପାଇଁ ଭୟ କରୁଛନ୍ତି । ୩ ଦିନ ହେଲା ୧୦୦ ମିଟରରୁ ଅଧିକ ବେଳାଭୂମି ଖାଇଗଲାଣି ଜୁଆର । ସମୁଦ୍ରର ରୂପ ଦେଖି ଭୟଭୀତ ଏରସମା ବ୍ଲକର ଗଡହରିଶପୁର, ଗଡବିଶୁନଶୁଣୁପୁର, ପଦ୍ମପୁର, ଆମ୍ବିକି ପଞ୍ଚାୟତର ପ୍ରାୟ ୩୦ ରାଜସ୍ୱ ଗାଁର ଲୋକେ । ସମୁଦ୍ର ପାଣି କାଳେ କେତେବେଳେ ଗାଁକୁ ମାଡି ଆସିବ, ଘର ଦ୍ୱାର ଭସେଇନେବ, ସେଇ ଆଶଙ୍କାରେ ନିଶ୍ଚିନ୍ତରେ ଶୋଇ ପାରୁନାହାନ୍ତି ସମୁଦ୍ର କୂଳିଆ ଲୋକେ । ଏହି ଖବର ଗଣମାଧ୍ୟମରେ ପ୍ରଚାର ହେବା ପରେ ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ହେଲେ ଏବେ ଲେଡି ଗୁଡ କହୁଣୀକୁ ବହି ସାରିଛି ।

ପାରାଦୀପର ଆଇଓସିଏଲ ପାଇଁ ପାରାଦୀପ ସମୁଦ୍ରରେ ଗୁରୁଜ କରାଯାଇଛି । ଯାହାର ପ୍ରଭାବ ଏରସମା ଅଞ୍ଚଳରେ ଦେଖିବାକୁ ମିଳୁଛି । ୨୦୧୭ରେ ଏକ ସର୍ଭେ ଟିମ୍ ଆସିଥିଲେ, ସେତେବେଳେ ସର୍ଭେରୁ ଜଣାପଡିଥିଲା, ପାରାଦୀପରେ ଗୁରୁଜ ହୋଇଥିବାରୁ ଶିଆଳି ଉପକୂଳରେ ଅଧିକ ବେଗରେ ମାଡ କରୁଛି ସମୁଦ୍ର । ପ୍ରଶାସନ ଯଥାଶୀଘ୍ର ଏହା ଉପରେ ଗୁରୁତ୍ୱ ଦେଇ ପଥର ପ୍ୟାକିଂ କରିବା ସହ ଲୁଣା ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି ।