ଜଗତସିଂହପୁର ରାଜନୀତିର ଜଟିଳ ପାଠ ! କେବେ ବିଜେଡି କେବେ କଂଗ୍ରେସ, ପାଳି କରି ହୋଇଛି ପଟ୍ଟ ପରିବର୍ତ୍ତନ । ବିଜେପିକୁ ଜିତାଇବ କିଏ, ଚାଲିଛି ସର୍ଚ୍ଚ ଅପରେସନ ।

394

କନକ ବ୍ୟୁରୋ : ଏଥର ଜଗତସିଂହପୁରରେ ଜମିବ ପଲିଟିକାଲ ଲଢେଇ । ଜଗତସିଂହପୁର ବିଧାନସଭା ଆସନରେ କାହାର ହେବ ଜୟ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତଥର ବିଜେଡି ଗଡକୁ ଭାଙ୍ଗି ଜଗତସିଂହପୁରରେ ଦୀର୍ଘ ୨୪ ବର୍ଷ ପରେ କମବ୍ୟାକ୍ କରିଥିଲା କଂଗ୍ରେସ । ବିଜେଡି ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ଗଡ ଭାବେ ପରିଚିତ ଜଗତସିଂହପୁରରେ ଚିରଞ୍ଜୀବିଙ୍କ ଚମକ ଦେଖିବାକୁ ମିଳିଥିଲା । ତେବେ ଏହି ୫ ବର୍ଷ ମଧ୍ୟରେ ଜଗତସିଂହପୁର ରାଜନୀତିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଲଗାତାର ୫ ଥର ବିଧାୟକ ଥିବା ବିଷ୍ଣୁ ଦାସ ଜଗତସିଂହପୁର ଛାଡି ତିର୍ତ୍ତୋଲ ଆଡକୁ ମୁହାଁଇବା ପରେ ବଦଳିଛି ରାଜନୈତିକ ସମୀକରଣ । ବିଷ୍ଣୁଙ୍କ ପରେ ବିଜେଡି କାହାକୁ ପ୍ରାର୍ଥୀ କରିବ ଯିଏ ୨୦୧୯ରେ ଚିରଞ୍ଜୀବିଙ୍କୁ ଟକ୍କର ଦେଇପାରିବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏସବୁ ଭିତରେ ବିଜେଡି ଟିକେଟ ପାଇଁ ପ୍ରାର୍ଥୀଙ୍କ ତାଲିକା ଲମ୍ବି ଚାଲୁଥିବା ବେଳେ ଦଳପତି କାହାକୁ ମୈଦାନକୁ ଓହ୍ଲାଇବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

୧୯୫୧ ମସିହାରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ପ୍ରଥମ କଂଗ୍ରେସ ବିଧାୟକ ଭାବେ ନଳିନୀ ପ୍ରଧାନ ନିର୍ବାଚିତ ହୋଇଥିଲେ। ଏବେ ସୁଦ୍ଧା ଏହି ଆସନରୁ କଂଗ୍ରେସ ୮ ଥର ବିଜୟ ଧ୍ୱଜା ଉଡ଼ାଇଛି। ଅନ୍ୟମାନଙ୍କ ମଧ୍ୟରେ ଜନତା ଦଳ ୩ ଥର, ପିଏସପି ଗୋଟିଏ ଥର, ଓଡିଶା ଜନ କଂଗ୍ରେସ ଗୋଟିଏ ଥର ଏବଂ ୨୦୦୦ ମସିହାରେ ବିଜେଡି ଗଢ଼ା ହେବା ପରେ ଲଗାତାର ତିନି ଥର ଜିତିଥିଲା। ଯାହାର ମଙ୍ଗ ଧରିଥିଲେ ବିଷ୍ଣୁ ଦାସ । କିନ୍ତୁ ୨୦୧୪ ନିର୍ବାଚନରେ ଜଗତସିଂହପୁରରେ ଦେଖିବାକୁ ମିଳିଥିଲା ଭିନ୍ନ ସମୀକରଣ । ବିଷ୍ଣୁ ଆଉଟ ହୋଇଥିଲେ ଓ ଏଣ୍ଟ୍ରି କରିଥିଲେ ଚିରଞ୍ଜୀବି ।

ବିଷ୍ଣୁଙ୍କ ବିଜୟଧାରାରେ ବ୍ରେକ ଲଗାଇଥିବା କଂଗ୍ରେସର ହେଭିୱେଟ ନେତା ଚିରଞ୍ଜୀବି ବିଶ୍ୱାଳ ପୁଣିଥରେ ନିଜର ଜୟଯାତ୍ରା ଜାରି ରଖିବାକୁ ଅଣ୍ଟା ଭିଡିଛନ୍ତି ।। ୨୦୧୪ ମସିହାରେ କଂଗ୍ରେସର ସାରା ରାଜ୍ୟରେ ଭୋଟ୍ କମିବା ତଥା ବିଧାୟକମାନଙ୍କୁ ହାର ସାମ୍ନା କରିବାକୁ ପଡ଼ୁଥିବା ବେଳେ ଚିରଞ୍ଜୀବ ବିଶ୍ୱାଳ ବିଷ୍ଣୁଙ୍କ ଗଡ଼ରେ ବିଜୟୀ ହୋଇଥିଲେ।ଏବେ ଜଗତସିଂହପୁରରେ ବିଶ୍ୱାଳ ଭ୍ରାତାଙ୍କ ଦବଦବା ଜାରି ରହିଛି। ପୁଣି ଥରେ ଏହି ଆସନ ଅକ୍ତିଆର ପାଇଁ ରଞ୍ଜୀବ ବିଶ୍ୱାଳ ନିଜ ସାଂସଦ ପାଣ୍ଠିର ପ୍ରାୟ ୭୦ ପ୍ରତିଶତ ଜଗତସିଂହପୁର ପୌର ପରିଷଦ, ନାଉଗାଁ ଓ ଜଗତସିଂହପୁର ବ୍ଲକରେ ଖର୍ଚ୍ଚ କରିଛନ୍ତି ।ଯାହାଦ୍ୱାରା ବିଜେଡି ସଙ୍ଗଠନ ଦୁର୍ବଳ ହୋଇପଡିଥିଲା । ଆଉ ଏହାକୁ କାଉଣ୍ଟର କରି ବିଜେଡି ବିଷ୍ଣୁଙ୍କୁ ସାଂସଦ ଭାବେ ରାଜ୍ୟସଭାକୁ ପଠାଇଥିଲା । କିନ୍ତୁ ଅଳ୍ପ କିଛି ଦିନ ବ୍ୟବଧାନରେ ବିଷ୍ଣୁ ସାଂସଦ ପଦରୁ ଇସ୍ତଫା ଦେବା ପରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ କରଇ ଏଠାରେ ସଙ୍ଗଠନକୁ ମଜବୁତ୍ କରୁଛି ବିଜେଡି । ତେବେ ଜଗତସିଂହପୁର ଆସନରୁ କଂଗ୍ରେସ ଟିକେଟରୁ ଚିରଞ୍ଜୀବି ଲଢିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ଅନ୍ୟ ଦଳ ଗୁଡିକରେ ଟିକେଟକୁ ନେଇ ଟଣାଓଟରା ଜାରି ରହିଛି ।

ଅନ୍ୟପଟେ ଏହି ଆସନରୁ ୫ ଥର ବିଧାୟକ ଥିବା ବିଷ୍ଣୁ ଦାସ ତିର୍ତ୍ତୋଲ ମୁହାଁ ହେବା ପରେ ଏଠାରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ପ୍ରାୟ ଅଧ ଡଜନ ଆଶାୟୀ ପ୍ରାର୍ଥୀ ଟିକେଟ ପାଇଁ ଲବି ଆରମ୍ଭ କରିଛନ୍ତି । ବିଜେଡି ରାଜ୍ୟ ମହିଳା ସମ୍ପାଦିକା କନକ ପ୍ରଭା ଲେଙ୍କା, ଯୁବ ବିଜେଡି ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ, ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ବାଇଁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ୍ତ ମହାନ୍ତି, ପୂର୍ବତନ ବିଧାୟକ ଜ୍ୟୋତିଷ୍କର ଦାଶ, ସତ୍ୟଜିତ ମିଶ୍ର, ନାଉଗାଁ ବିଜେଡି ସଙ୍ଗଠକ ପ୍ରଦୀପ୍ତ ସ୍ବାଇଁ ପ୍ରମୁଖ ଟିକେଟ ଦାବିଦାର ରେସରେ ରହିଛନ୍ତି । ତେଣୁ ଦଳ ଏଠାରେ ନୂଆଁ ମୁହଁଙ୍କୁ ସୁଯୋଗ ଦେବ ନା ମହିଳା କାର୍ଡ ଖେଳିବ ତାହା ଏବେ ମଧ୍ୟ ଅସ୍ପଷ୍ଟ ରହିଛି ।

ଗତ ନିର୍ବାଚନ ଗୁଡିକର ଫଳାଫଳ ଉପରେ ନଜର ପକାଇଲେ, ଏଠାରେ ବିଜେପି ସଙ୍ଗଠନ ସେଭଳି ଶକ୍ତିଶାଳୀ ନୁହେଁ । କାରଣ ଗତ ଦୁଇଟି ନିର୍ବାଚନରେ ବିଜେପି ଯଥାକ୍ରମେ ୪୮୬୪ ଓ ୭୦୫୮ ଭୋଟ ପାଇଥିଲା । ଏପରିକି ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ରଙ୍କ ଠାରୁ ମଧ୍ୟ ଦଳ କମ ଭୋଟ ପାଇଥିଲା । କିନ୍ତୁ ପୂର୍ବ ପରାଜୟକୁ ଭୁଲି ଏକ ନୂଆ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ବିଜେପି । କିନ୍ତୁ ଦଳ ପାଇଁ ଏକାଧିକ ଆଶାୟୀ ପ୍ରାର୍ଥୀ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ବିଜେପିର ସଭାପତି ସତ୍ୟବ୍ରତ ମହାପାତ୍ର, ପ୍ରତାପ ମିଶ୍ର, ଆଇନଜୀବୀ ପୀତାମ୍ବର ଆଚାର‌୍ୟ୍ୟ ପ୍ରମୁଖ ଟିକେଟ୍ ଆଶାୟୀ ଥିବା ବେଳେ ଦଳ ଏଠାରେ କାହାକୁ ଭରସା କରିବ ତାହା ସବୁଠୁ ବଡ ପ୍ରଶ୍ନ । ଏପ୍ରିଲ ୨୯ ଅଥାର୍ତ ଚତୁର୍ଥ ପର୍ଯ୍ୟାୟରେ ଜଗତସିଂହପୁରରେ ଭୋଟ ହେବାକୁ ଥିବା ବେଳେ ଏଠାରେ ଭୋଟର କାହାକୁ ଭରସା କରି ନିଜର ମୂଲ୍ୟବାନ ଭୋଟ ଦେବେ ତାହା ଦେଖିବା ବାକି ରହିଲା ।