ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଥାନା ଏସଆଇ : ଥାନା ଏସଆଇ ବିଶ୍ୱଜିତ୍ ଗଡନାୟକଙ୍କୁ ଧରିଲା ଭିଜିଲାନ୍ସ 

72

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଜଗତସିଂହପୁର ଥାନାର ଏସ୍‌ଆଇ ବିଶ୍ବଜିତ ଗଡ଼ନାୟକ । ଏକ ବକେୟା ଅର୍ଥ ଆଦାୟ ମାମଲାର ସମାଧାନ ପାଇଁ କଟକ ସଦର ବ୍ଲକ୍‌ କଚେରାମାଳର ପ୍ରିତମ୍‌ ମହାନ୍ତିଙ୍କ ଠାରୁ କନ୍ଦରପୁର ନିକଟରେ ୫୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ କଟକ ଭିଜିଲାନ୍ସ ଡିଭିଜନ୍‌ ଅଧିକାରୀଙ୍କ ହାତରେ ସେ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ଦିଆ ନଗଦ ୫୦ ହଜାର ଟଙ୍କା ଜବତ କରାଯାଇଛି । ଏପରି ମୋଟା ଅଙ୍କର ଲାଞ୍ଚ ନେଇ ଧରାପଡ଼ିବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

କଟକ ଭିଜିଲାନ୍ସ ସେଲ୍‌ ପକ୍ଷରୁ କେସ୍‌ ନଂ୧/୨୧ରେ ଏକ ମାମଲା ରୁଜୁ କରି ଏସ୍‌ଆଇ ଶ୍ରୀ ଗଡ଼ନାୟକଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି । ଭିଜିଲାନ୍ସର ଏକ ଟିମ୍ ଜଗତସିଂହପୁର ଥାନାକୁ ଆସି ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି । ଏକ ଯୌତୁକ ମାମଲାରେ ଗଡନାୟକ ପୂର୍ବରୁ ଲକ୍ଷାଧିକ ଟଙ୍କା ନେଇ ବିବାଦରେ ଥିଲେ । ପ୍ରିତମ୍‌ ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଏହି ଲାଞ୍ଚ ଦାବି ସଂକ୍ରାନ୍ତରେ ଅଭିଯୋଗ କଲା ପରେ ଯୋଜନାବଦ୍ଧ ଭାବେ ଭିଜିଲାନ୍ସ ଟିମ୍‌ ରାସାୟନିକ ପ୍ରଲେପ ଦିଆ ୫୦ ହଜାର ଟଙ୍କା ଦେଇ ପ୍ରତିମ୍‌ଙ୍କୁ କନ୍ଦରପୁର ପଠାଇଥିଲେ । କନ୍ଦରପୁର ନିକଟରେ ଭିଜିଲାନ୍ସ ଟିମ୍ ଡେରା ପକାଇଥିବା ବେଳେ ରାତି ପ୍ରାୟ ୮ଟା ବେଳେ ଏସ୍‌ଆଇ ଗଡ଼ନାୟକ ଏହି ଟଙ୍କା ନେଇଥିଲେ । ଠିକ୍‌ ସେତିକି ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ନେଇଥିଲା ।

ସୂଚନା ଅନୁସାରେ, ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ଏସ୍‌ଭିଏମ୍ କଲେଜ ପଡ଼ିଆରୁ ତିନି ଜଣଙ୍କୁ ବନ୍ଧୁକ ସହ ଧରିଥିଲା ଜଗତସିଂହପୁର ପୋଲିସ । ସେମାନଙ୍କ ପାଖରୁ ଦୁଇଟି ବନ୍ଧୁକ ଓ ଗୁଳି ଜବତ ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଗୋଟିଏ ବନ୍ଧୁକ ଚୋରା ଥିବାବେଳେ ଅନ୍ୟ ବନ୍ଧୁକ ଏସ୍‌ଆଇ ବିଶ୍ବଜିତ ଗଡ଼ନାୟକଙ୍କର ଥିବା ଜଣାପଡ଼ିଥିଲା । କିନ୍ତୁ ସେତେବେଳେ ବନ୍ଧୁକ ହଜି ଯାଇଥିବା ଦର୍ଶାଇ ସେ ମାମଲାରୁ ବର୍ତି ଯାଇଥିଲେ।