ଜଗତସିଂହପୁର ସିଂହାସନ ପାଇଁ ଲଢ଼େଇ ! ‘ହାତ’ ଛାଡ଼ିଥିଲେ ବିଭୁ ‘ପଦ୍ମ’ ଦେଲା ଟିକେଟ୍, ସାମ୍ନାରେ ବିଜେଡି-ବିଜେପିର ଦୁଇ ମହିଳା ପ୍ରାର୍ଥୀ ।

ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ସିପାହୀ ବାଛି ସାରିବା ପରେ ସରଗରମ ହୋଇ ଉଠିଛି ଜଗତସିଂହପୁର ରାଜନୀତି ।

247

କନକ ବ୍ୟୁରୋ: ଜମୁଛି ଜଗତସିଂହପୁର ରାଜନୀତି । ଏହି ଲୋକସଭା ଆସନକୁ ଅକ୍ତିଆର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ସିପାହୀ ବାଛି ସାରିବା ପରେ ସରଗରମ ହୋଇ ଉଠିଛି ଜଗତସିଂହପୁର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୩୩ ପ୍ରତିଶତ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ କଥା ରଖି ଏଠାରୁ ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛନ୍ତି । ସେପଟେ କଂଗ୍ରେସର ମଧ୍ୟ ଜଣେ ମହିଳା ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇ ପ୍ରତିମା ମଲ୍ଲିକଙ୍କୁ ଟିକେଟ୍ ଦେଇଛି । ଆଉ ଉଭୟ ବିଜେଡି ଓ କଂଗ୍ରେସକୁ ମାତ୍ ଦେବାକୁ ବିଜେପି ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇଙ୍କୁ ଏଠାରୁ ପ୍ରାର୍ଥୀ କରିଛି । ହେଲେ ଏଠାରେ ପ୍ରକୃତରେ କିଏ ବାଜିମାତ୍ କରିବ ସେନେଇ ଆରମ୍ଭ ହୋଇଛି ଅଙ୍କ କଷା ।

ଜଗତସିଂହପୁର ଜିଲ୍ଳାର ଚାରି ନିର୍ବାଚନ ମଣ୍ଡଳୀ ସମେତ କଟକ ଜିଲ୍ଲାର ନିଆଳି ଓ ପୁରୀ ଜିଲ୍ଲାର ନିମାପଡ଼ା ଓ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଏହି ଲୋକସଭା ଆସନଟି ଗଠିତ। ୧୯୭୭ ମସିହାରେ ହୋଇଥିବା ପ୍ରଥମ ନିର୍ବାଚନରେ ଜନତା ଦଳ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ବଳ ଏଠାରୁ ନିର୍ବାଚିତ ହୋଇଥିଲେ। ପରେ ଏହି ଆସନରୁ ଲକ୍ଷ୍ମଣ ମଲିକ, ଲୋକନାଥ ଚୌଧୁରୀ ଓ ରଂଜୀବ ବିଶ୍ୱାଳ ପ୍ରମୁଖ କ୍ରମାଗତ ଦୁଇ ଥର ଲେଖାଏଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

ବର୍ତ୍ତମାନ ଏହି ଆସନଟି ସଂରକ୍ଷିତ ରହିଛି । ଗତ ୨୦୧୪ ନିର୍ବାଚନରେ ରୋଗୀ ସେବାରୁ ରାଜନୀତିକୁ ଓହ୍ଲାଇଥିବା ସାଂସଦ ଡାକ୍ତର କୁଳମଣି ସାମଲ ଜିତିଥିଲେ ବିଜେଡି ଟିକେଟ୍ ପାଇ ବିଜୟ ହୋଇଥିଲେ । ବିବାଦଠାରୁ ଦୂରରେ ଥିବା ସାଂସଦ କୁଳମଣିଙ୍କୁ ଦଳ ଏଥର ଟିକେଟ୍ ରେସରୁ ବାଦ୍ ଦେଇ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ଏହି ଲୋକସଭା ଆସନର ମଙ୍ଗ ଧରାଇଛନ୍ତି ବିଜେଡି ସୁପ୍ରିମୋ । ଆଉ ଖେଳିଛନ୍ତି ମାଷ୍ଟ୍ରକ ଷ୍ଟ୍ରୋକ୍ ଯାହାକି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଶିବିରକୁ ଛାନିଆ କରିପକାଇଥିବା ଚର୍ଚ୍ଚା ହେଉଛି ।

ସେପଟେ କଂଗ୍ରେସ ୨୦୧୪ରେ ଏହି ଲୋକସଭା ଆସନ ପାଇଁ ବିଭୁପ୍ରସାଦ ତରାଇଙ୍କୁ ଟିକେଟ୍ ଦେଇଥିଲେ ମଧ୍ୟ ଏଥର ଜଣେ ମହିଳା ପ୍ରାର୍ଥୀଙ୍କୁ ଭରସିଛନ୍ତି ହାଇକମାଣ୍ଡ । ତେଣୁ ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ଦଳ । ଆଉ ବିଭୁଙ୍କୁ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଥଇଥାନ କରାଇଥିଲେ ମଧ୍ୟ ସେ ଅସନ୍ତୁଷ୍ଟ ହୋଇଥିଲେ । ଏହାପରେ ‘ହାତ’କୁ ବାଏ ବାଏ କରି ‘ପଦ୍ମ’ ଧରିଥିଲେ ବିଭୁ ।

ଅନ୍ୟପଟେ ‘ହାତ’ ଛାଡ଼ି ‘ପଦ୍ମ’ ଧରିଥିବା ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇଙ୍କୁ ବିଜେପିରୁ ଟିକେଟ୍ ମିଳିଛି । ଆଉ ଗତଥର ବିଜେପିରୁ ଟିକେଟ୍ ପାଇ ଲଢ଼ିଥିବା ବାଇଧର ମଲ୍ଲିକଙ୍କୁ ବିଜେପି ଟିକେଟ୍ ରେସରୁ ବାଦ୍ ଦେଇଛି । ଆଉ ବିଭୁଙ୍କୁ କଂଗ୍ରେସ ଦେଇନଥିବା ଟିକେଟକୁ ବିଜେପି ଦେଇ ଏଠାରେ ପ୍ରାର୍ଥୀ କରାଇଛି । ତେବେ ବର୍ତ୍ତମାନ ବିଜେପି ବିଭୁଙ୍କୁ ଟିକେଟ୍ ଦୁଇ ମହିଳା ପ୍ରାର୍ଥୀଙ୍କୁ ଟକ୍କର ଦେବାକୁ ଗୋଟି ଚାଳନା କରୁଛି । ସେପଟେ ଉଭୟ ବିଜେଡି ଓ କଂଗ୍ରେସର ଦୁଇ ମହିଳା ପ୍ରାର୍ଥୀଙ୍କ ସାମ୍ନା କରିବାକୁ ବିଭୁଙ୍କ କାନ୍ଧରେ ବିଜେପି ଭାର ଦେଇଥିଲେ ମଧ୍ୟ ଏହା କେତେମାତ୍ରାରେ ଫଳପ୍ରଦ ହେବ ତାହା ଉପରେ ସମସ୍ତଙ୍କ ନଜର ।