ଜଗତସିଂହପୁର ଜିଲ୍ଲାରେ ବାଲି ଘାଟ ଚଢ଼ା ଦରରେ ନିଲାମ ପରେ ବାଲି ଦର ବୃଦ୍ଧି ଆଶଙ୍କା : କିପରି କରିବେ ଘର, ଚିନ୍ତାରେ ସାଧାରଣ ଲୋକ

ସମସ୍ୟାର ସମାଧାନ ପାଇଁ ତହସିଲଦାର ଓ ଅଧିକାରୀଙ୍କ ସହ ଆଲୋଚନା କରାଯିବ କହିଲେ ଜିଲ୍ଲାପାଳ

100

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାରେ ବାଲି ଘାଟ ଚଢ଼ା ଦରରେ ନିଲାମ ହେବା ପରେ ସାଧାରଣ ଲୋକଙ୍କୁ ଏବେ ଘାରିଛି ଦର ବୃଦ୍ଧି ଚିନ୍ତା । ନିଲାମ ମୂଲ୍ୟ ବଢ଼ିବା ଯୋଗୁଁ ଯଦି ବାଲି ଦର ବୃଦ୍ଧି ହୁଏ ତେବେ ସାଧାରଣ ଲୋକମାନେ କେମିତି ଘର କରିବ ତାକୁ ନେଇ ଚିନ୍ତାରେ ପଡିଛନ୍ତି । କଟକରୁ ମଧ୍ୟ ସମାନ ଅଭିଯୋଗ ଆସିିଛି ।

ରାଜ୍ୟ ବାହାରକୁ ବାଲି ଚାଲଣ ପାଇଁ ଅନୂୁମତି ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ ହେବା ପରେ ଚିନ୍ତା ଅଧିକ ବଢ଼ିଯାଇଛି । ଅଭିଯୋଗ ହେଉଛି, ଅଧିକ ଦାମରେ ବାଲିଘାଟ ନିଲାମ, ବାହାରକୁ ବାଲିଚାଲଣ ପାଇଁ ହେଉଥିବା ଷଡଯନ୍ତ୍ରର ଅଂଶବିଶେଷ । ସେପଟେ ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି, ଏ ନେଇ ତହସିଲଦାର ଓ ଅଧିକାରୀଙ୍କ ସହ ସେ ଆଲୋଚନା କରିବେ । ଜିଲ୍ଲାର ବାଲି ଆବଶ୍ୟକତାକୁ ପୂରଣ ପାଇଁ ପ୍ରାଥମିକତା ଦିଆଯିବ ।

ଜଗତସିଂହପୁର ଭଳି ରାଜ୍ୟ ବାହାର କଂପାନୀର ନଜର ପଡ଼ିଛି କଟକ ଜିଲ୍ଲାର ବାଲିଘାଟ ଉପରେ । ବାହାର ରାଜ୍ୟକୁ ବାଲି ଚାଲଣ ପାଇଁ ଏକ କଂପାନୀ ଜିଲ୍ଲା ପ୍ରଶାସନକୁ ଆବେଦନ କରିଥିବା ସୂଚନା ମିଳିଛି । ଯଦି ବାହାର ରାଜ୍ୟ ବାଲି ପଠାଇବାକୁ ଅନୁମତି ମିଳେ, ତେବେ ବାଲି ଦର ଆକାଶଛୁଆଁ ହୋଇଯିବ ।

ଜଗତସିଂହପୁର ଜିଲ୍ଲାର ସବୁଠୁ ବଡ଼ ବାଲିଘାଟ କୁହାଯାଉଥିବା ଆଳିପିଙ୍ଗଳ ବାଲିଘାଟ ନିଲାମ ଅତି ଚଢ଼ା ମୂଲ୍ୟରେ ହୋଇଛି । ପୂର୍ବରୁ ଯେଉଁ ବାଲିଘାଟକୁ ୧୭ ଲକ୍ଷ ଟଙ୍କାରେ ନିଲାମ ହେଉଥିଲା, ଏହା ଏବେ ସାଢ଼େ ୭ କୋଟିରୁ ଅଧିକ ଦାମରେ ନିଲାମ ହୋଇଛି । ଯାହାକୁ ନେଇ ସାଧାରଣରେ ପ୍ରବଳ ସଂଦେହ ସୃଷ୍ଟି ହୋଇଛି । ଏପରିକି ଗୋଟିଏ ହାଇୱା ବା ବଡ଼ ଟ୍ରକ ବାଲିର ଦାମ୍ ୬୦ ହଜାର ଟଙ୍କା ହେବା ବୋଲି ଆଶଙ୍କା ପ୍ରକାଶ ପାଇଛି ।