ଜଗତସିଂହପୁରକୁ ବାହାର ଜିଲ୍ଲାର ଲୋକଙ୍କ ପ୍ରବେଶ ମନା: ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନର ପଦକ୍ଷେପ; ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାବାସୀଙ୍କୁ ବାରଣ

ଆସିଲେ ରହିବେ ବାଧ୍ୟତାମୂଳକ ସଂଗରୋଧରେ

740

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲାକୁ ବାହାର ଜିଲ୍ଲା ଲୋକଙ୍କୁ ମନା । କରୋନା ସଂକ୍ରମଣ ଏଡାଇବାକୁ ଏଭଳି ନିଷ୍ପତି ନିଆଯାଇଛି । ଲୋକଙ୍କ ଯାତାୟାତା ଉପରେ କଟକଣା ଲଗାଯାଇଛି । ବିଶେଷ କରି କଟକ, ଭୁବନେଶ୍ୱର, ପୁରୀ, କେନ୍ଦ୍ରାପଡା ଜିଲ୍ଲାକୁ ପ୍ରତିଦିନ ଯାତାୟାତ କରୁଥିବା ଲୋକଙ୍କୁ ଜଗତସିଂହପୁରକୁ ଯାଇପାରିବେନି । ଏନେଇ ଜିଲ୍ଲାପାଳ ଏକ ଭିଡିଓ ମେସେଜ ଜାରି କରିଛନ୍ତି । ଜଗତସିଂହପୁର ଜିଲ୍ଳାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଅନ୍ୟପଟେ, ଅନୁଗୁଳ ଯାଇପାରିବେନି ଗଂଜାମ ଓ ଯାଜପୁର ଜିଲ୍ଲା ବାସିନ୍ଦା । ଏନେଇ ନି ର୍ଦ୍ଦେଶନାମା ଜାରି କରିଛନ୍ତି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି । ନିୟମ ଉଲଂଘନ କଲେ ରହିବାକୁ ପଡିବ ୧୪ ଦିନିଆ କ୍ୱାରେଂଟିନରେ । ଅନୁଗୁଳ ଜିଲ୍ଲାରେ ଏହା ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ୧୨୨ରେ ପହଁଚିଗଲାଣି । ତେବେ ଅଧିକାଂଶ ଆକ୍ରାନ୍ତ ଗଂଜାମ ଓ ଯାଜପୁର ଫେରନ୍ତା ବୋଲି ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛି ।

ସେହିଭଳି ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାବାସୀଙ୍କୁ ମନା । ଏନେଇ କଟକଣା ଜାରି କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ଏପରି କଠୋର ନିଷ୍ପତି ନିଆଯାଇଥିବା କହିଛି ଜିଲ୍ଲା ପ୍ରଶାସନ । ଗଂଜାମ, କଟକ, ଭଦ୍ରକ, ଖୋର୍ଧା, ଯାଜପୁର, ନୟାଗଡ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ଗଜପତି, ବାଲେଶ୍ୱର ଏବଂ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ମାଲକାନଗିରି ଜିଲ୍ଲା ଆସିବା ନେଇ କଟକଣା ଜାରି ହୋଇଛି । ରାଜ୍ୟରେ ରେଡ୍ ଜୋନରେ ଥିବା ଜିଲ୍ଲା ଗୁଡିକରୁ ଯଦି କୌଣସି ଲୋକ ଜିଲ୍ଲାକୁ ଆସୁଛନ୍ତି ତେବେ ସେମାନଙ୍କୁ ୧୪ ଦିନିଆ ବାଧ୍ୟତାମୂଳକ ସଂଗରୋଧରେ ରହିବାକୁ ପଡିବ । ବିଶେଷ ସ୍ଥିତିରେ ଘରୋଇ ସଂଗରୋଧରେ ବି ରଖାଯିବ । ତେବେ ଏହା ମଧ୍ୟରେ ସଂକ୍ରମଣ ଜଣାପଡିଲେ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଏହି ନିୟମର ଉଲଂଘନ କଲେ ୨୦୦୫ ଜାତୀୟ ବିପର୍ଯ୍ୟୟ ପରିଚାଳନା ନିୟମ ଏବଂ ୧୯୯୭ ମହାମାରୀ ନିୟମ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।