ପୁଣି ରାଜଶ୍ରୀ-ବିଷ୍ଣୁ କଳି ! ଜଗତସିଂହପୁରରେ ବ୍ଲକ ସଭାପତି ନିଯୁକ୍ତିକୁ ନେଇ ବିବାଦ ।

34

କନକ ବ୍ୟୁରୋ : ବ୍ଲକ ସଭାପତି ନିଯୁକ୍ତିକୁ ନେଇ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଓ ଜଗତସିଂପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ମଧ୍ୟରେ କଳି ଜୋର ଧରିଛି । ବିଷ୍ଣୁଙ୍କ ବିନା ପରାମର୍ଶରେ ରାଜଶ୍ରୀ କଂଗ୍ରେସର ୩ଜଣ ମହିଳା ନେତ୍ରୀଙ୍କୁ ବ୍ଲକ ସଭାପତି ଭାବେ ନିଯୁକ୍ତି ଦେବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି । ତେବେ ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହେବା ପରେ ଏବେ ତିନିଜଣ ବିଜେଡି ମହିଳା ନେତ୍ରୀଙ୍କୁ ବ୍ଲକ ସଭାପତି ଭାବେ ନିଯୁକ୍ତି ମିଳିଛି ।

ବ୍ଲକ ସଭାପତି ନିଯୁକ୍ତିକୁ ନେଇ ବିବାଦ । ଦିନକୁ ଦିନ ଗୋଳିଆ ହେଉଛି ଜଗତସିଂହପୁରର ବିଜେଡି ରାଜନୀତି । ତିର୍ତୋଲ ବିଧାୟିକା ତଥା ଜିଲ୍ଲା ମହିଳା ସଭାନେତ୍ରୀ ରାଜଶ୍ରୀ ମଲ୍ଲିକ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ । ବିଷ୍ଣୁଙ୍କ ଗଡରେ ରାଜଶ୍ରୀ ମଲ୍ଲିକ ନିଯୁକ୍ତ କରିଥିବା ଜଗତସିଂହପୁର ବ୍ଲକ, ପୌରାଂଚଳ ଏବଂ ନାଉଗାଁ ବ୍ଲକ ବିଜେଡି ମହିଳା ସଭାନେତ୍ରୀଙ୍କୁ ପଦରୁ ହଟାଇ ଦିଆଯାଇଛି । ଏମାନେ ବିଜେଡି ସଦସ୍ୟ ନୁହଁନ୍ତି ବୋଲି ଅଭିଯୋଗ ଆଣିଥିଲେ ବିଷ୍ଣୁ ଦାସଙ୍କ ସମର୍ଥକ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏହା ଜଣାଇବା ପରେ ବିଷ୍ଣୁଙ୍କ ସହମତିରେ ଆଉ ୩ଜଣ ମହିଳା ନେତ୍ରୀଙ୍କୁ ଏହି ପଦରେ ବସାଯାଇଛି । ଜିଲ୍ଲାର ବିଭିନ୍ନ ଦଳୀୟ ପଦପଦବୀରେ ନିଜ ସମର୍ଥକଙ୍କୁ ରଖିବା ଲାଗି ଦୁଇ ନେତାଙ୍କ ମଧ୍ୟରେ ଚାଲିଛି ଟଣାଓଟରା । ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ରାଜଶ୍ରୀ ମଲ୍ଲିକ ଓ ବିଷ୍ଣୁ ଦାସ । ଜଗତସିଂହପୁର ଜିଲ୍ଲାର ତିନି ତୁଙ୍ଗ ନେତା ଦାମ ରାଉତ, ରାଜଶ୍ରୀ ମଲ୍ଲିକ ଓ ବିଷ୍ଣୁ ଦାସଙ୍କ ମଧ୍ୟରେ ବିବାଦ କିଛି ନୂଆ ନୁହେଁ । ନିକଟରେ ବିଷ୍ଣୁ ଦାସଙ୍କୁ ରାଜନୀତିରୁ ସନ୍ୟାସ ନେବା କଥା କହି ବିବାଦକୁ ଆସିଥିଲେ ରାଜଶ୍ରୀ । ଏବେ ବ୍ଲକ ସଭାପତି ନିଯୁକ୍ତି ନେଇ ସୃଷ୍ଟି ହୋଇଥିବା ନୂଆ ବିବାଦ ରାଜଶ୍ରୀ-ବିଷ୍ଣୁ କଳିରେ ଘିଅ ଢାଳିଛି ।