ଦିବ୍ୟାଙ୍ଗ ହୋଇ ବି ହାର ମାନିନି ସ୍ୱପ୍ନା । କେବଳ ଗୋଟିଏ ଆଙ୍ଗୁଠିରେ ଆଙ୍କୁଛନ୍ତି ଭଳିକି ଭଳି ଚିତ୍ର

ରାଜ୍ୟସ୍ତରିୟ ଚିତ୍ରାଙ୍କନ ପ୍ରତିଯୋଗୀତରେ ହାସଲ କଲେ ପ୍ରଥମ ସ୍ଥାନ

245

କନକ ବ୍ୟୁରୋ: କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଓ ନିରନ୍ତର ଚେଷ୍ଟା ବଳରେ ପଙ୍ଗୁ ପର୍ବତ ବି ଚଢିପାରେ । କୌଣସି କାମ ଅସାଧ୍ୟ ହୋଇ ରୁହେ ନାହିଁ । ସବୁ ପ୍ରତିକୂଳ ପରିସ୍ଥିତିକୁ ବି ପ୍ରତିହତ କରିପାରେ ଜଣେ ଉଦ୍ୟମୀ ବ୍ୟକ୍ତି । ଶାରିରୀକ ଅକ୍ଷମତାକୁ ବି ମାତ ଦେଇପାରନ୍ତି ଦୃଢମନା ଛାତ୍ରଛାତ୍ରୀ । ସେମିତି ଜଣେ ଛାତ୍ରୀ ଅଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ଉଚ୍ଚ ବିଦ୍ୟାଳୟରେ ।

ଦିବ୍ୟାଙ୍ଗ ହୋଇ ବି ହାର ମାନିନି ସ୍ୱପ୍ନା । ରଙ୍ଗ ଆଉ ରଙ୍ଗ ତୁଳିକୁ ଦେଖିଲେ ସ୍ୱପ୍ନା ଆଖିରେ ଭାସିଯାଏ ଅନେକ ସ୍ୱପ୍ନ । ଆଉ ଯଦି କାଗଜ ଖଣ୍ଡିଏ ମିଳିଯାଏ ତେବେ କଥା ସରେ । ସେ ଘର ହେଉ ବା ବାହାର,ତାକୁ କିଛି ଫରକ୍ ପଡେନି, ବସିଯାଏ, ଆଉ ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ଲାଗିପଡେ ଅଷ୍ଟମ ଶ୍ରେଣୀର ଛାତ୍ରୀ ସ୍ୱପ୍ନା ।

ସ୍ୱପ୍ନା ସୁନ୍ଦର, ସ୍ୱପ୍ନାର ସ୍ୱପ୍ନ ସୁନ୍ଦର । ଚିତ୍ରକଳା କୁହେ ସ୍ୱପ୍ନାର ମନ କଥା । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଆଲଣାହାଟ ଉଚ୍ଚ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ ସ୍ୱପ୍ନା ଦାସ । ଜନ୍ମରୁ ଦିବ୍ୟାଙ୍ଗ । ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ସ୍ୱପ୍ନାଙ୍କ ବାମ ହାତର ପାପୁଲି କହିଲେ କେବଳ ଗୋଟିଏ ଆଙ୍ଗୁଠି । ଯାହାକୁ ଦେଖି ତାଙ୍କ ବାପା ମାଆ ଦିନେ ଦୁଃଖ କରୁଥିଲେ । ହେଲେ ଆଜି ଝିଅ ତିଆରି କରିଥିବା କାଳିଆର ଚିତ୍ରକଳାକୁ ଦେଖିଲେ ପରିବାରର ଖୁସି କହିଲେ ନସରେ ।

ରାଜ୍ୟସ୍ତରରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗୀତରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସ୍ୱପ୍ନା । ଭଲ ଚିତ୍ର ଆଙ୍କୁଥିବା ସ୍ୱପ୍ନା ଆହୁରି ଅନେକ ଗୁଣର ଅଧିକାରୀ । ଭଲ ନୃତ୍ୟ କରିବା ସହ ବକୃତା ଦେବାରେ ମାହିର ସ୍ୱପ୍ନା । ଦିବ୍ୟାଙ୍ଗ ହୋଇ ବି ସ୍ୱପ୍ନାଙ୍କ ସଫଳତା ଅଲଣାହାଟ ଉଚ୍ଚ ବିଦ୍ୟାଳୟ ପାଇଁ ଗର୍ବ ଆଉ ଗୌରବ ବୋଲି କୁହନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷାକ । ସତରେ ସ୍ୱପ୍ନ ସାକାର କରିବା ପାଇଁ ଲକ୍ଷ୍ୟ ସ୍ଥିର ଥିଲେ, କୌଣସି ବି ଶାରିରୀକ ଅକ୍ଷମତା ପ୍ରତିଭାଙ୍କ ଗତିରୋଧ କରି ପାରିବ ନାହିଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଚିତ୍ରଶିଳ୍ପୀ ସ୍ୱପ୍ନା ।