ପେପର ପ୍ଲେଟ ତିଆରି କରି ବ୍ୟବସାୟରେ ସଫଳ ଜାଗୃତି ମହିଳା ସଙ୍ଗଠନ

140

କନକ ବ୍ୟୁରୋ: ସମୟ ସହ ତାଳ ଦେଇ ବଦଳୁଛି ମହିଳାମାନଙ୍କ ରୁଚି ଓ ରୋଜଗାରର ତରିକା । ପେପର ପ୍ଲେଟ ତିଆରି କରି ବ୍ୟବସାୟରେ ସଫଳ ହୋଇଛନ୍ତି ବଡଚଣା ବ୍ଲକର ଚଣ୍ଡିତଳ ପଞ୍ଚାୟତର ଜାଗୃତି ମହିଳା ସଙ୍ଗଠନର ସଦସ୍ୟା । ଦିନେ ଏହି ମହିଳାମାନେ ଘର କୋଣରେ ବସିରହି ପରିବାର ଉପରେ ନିର୍ଭର କରୁଥିଲେ । ହେଲେ ଦୁଇପଇସା ରୋଜଗାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରଚେଷ୍ଟା ଏବେ ସେମାନଙ୍କୁ ସଫଳତାର ସ୍ୱାଦ ଚଖାଇଛି । ଚଣ୍ଡିତଳ ଗାଁର ପାଖାପାଖି କୋଡିଏରୁ ଉର୍ଦ୍ଧ ଶିକ୍ଷିତ ମହିଳା ଏକାଠି ହୋଇ ଦୁଇମାସ ତଳେ ଆରମ୍ଭ କରିଥିଲେ ପେପର ପ୍ଲେଟ ତିଆରି ୟୁନିଟ । ଏହି ମହିଳାମାନଙ୍କର ନିଷ୍ଠା ଓ ଏକାଗ୍ରତା ଏବେ ସେମାନଙ୍କୁ ବ୍ୟବସାୟିକ ସଫଳତା ଦେବା ସହ ସ୍ୱାବଲମ୍ବୀ କରାଇପାରିଛି ।

ମାତ୍ର ସ୍ୱଳ୍ପ ପୁଞ୍ଜିରେ ଆରମ୍ଭ ହୋଇଥିବା ଏହି ସଙ୍ଗଠନର ବ୍ୟବସାୟ ଏବେ ଲକ୍ଷାଧିକ ଟଙ୍କାରେ ପହଞ୍ଚିଛି । ଘର କାମ ପରେ ମହିଳାମାନେ ଏକାଠି ହୋଇ କାମରେ ଲାଗିପଡ଼ନ୍ତି । କିଏ ମେସିନ ଚଳାଉଛି ତ ଆଉ କିଏ ପ୍ରସ୍ତୁତ ପ୍ଲେଟ ଗୁଡିକୁ ପ୍ୟାକିଂ କରୁଛି । ବର୍ତମାନ ସମୟର ଚାହିଦା ଅନୁସାରେ ଏଠାରେ ବଫେ ପ୍ଲେଟ, ଦନା, ଖାଇବା ଥାଳି ପ୍ରସ୍ତୁତ କରାଯିବା ସହ ସେହିପରିମାଣରେ ଅର୍ଡର ମଧ୍ୟ ମିଳୁଛି । ଏଠାରୁ ଉତ୍ପାଦିତ ସାମଗ୍ରୀ ଗୁଡିକ କଟକ, କେନ୍ଦ୍ରାପଡା, ଯାଜପୁର ଜିଲ୍ଳାର ଚଣ୍ଡିଖୋଲ, ଜାରକା, ଛତିଆ ଓ ବଡଚଣା ଅଞ୍ଚଳରେ ବିକ୍ରି ହେଉଛି । ଆଗାମୀ ଦିନରେ ବ୍ୟବସାୟିକ ଅଭିବୃଦ୍ଧି ସହ ଅଧିକ ମହିଳାଙ୍କୁ ସାମିଲ କରି ରୋଜଗାରକ୍ଷମ କରାଇବା ଲକ୍ଷ୍ୟ ରଖିଛି ଏହି ସଂଗଠନ ।