ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ! ପ୍ରଦୀପ ଜେନାଙ୍କୁ ହଟାଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଦିଆଗଲା ଦାୟିତ୍ୱ ।

25

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଅବ୍ୟବସ୍ଥା ଓ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ତମ୍ବିତୋଫାନ ଭିତରେ ଆଜି ହଠାତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବଦଳାଇ ଦିଆଯାଇଛି । ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ହଟାଇ ତାଙ୍କ ସ୍ଥାନରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆଉ ରଥଯାତ୍ରା ପୂର୍ବରୁ ଅଚାନକ ପିକେ ଜେନାଙ୍କୁ ହଟାଇ ଦିଆଯିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି ତରବରିଆ ଭାବେ ପ୍ରଦୀପ ଜେନାଙ୍କୁ ହଟାଇ ଦିଆଗଲା ? ସେବାୟତଙ୍କ ସହ ସମନ୍ୱୟ ରକ୍ଷା କରି ରଥଯାତ୍ରା ପରିଚାଳନା କରିବାରେ ପିକେ ଜେନା ଅସମର୍ଥ ହେବେ ବୋଲି ସରକାର ଆଶଙ୍କା କରୁଥିଲେ କି ? କାରଣ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ପିକେ ଜେନାଙ୍କ ଉପରେ ଅଙ୍ଗୁଳି ଉଠିଥିଲା ।

ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ମଧ୍ୟ ବିବାଦ ଉପୁଜିଥିଲା । ଦାନ ଟଙ୍କାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ତରବରିଆ ଭାବେ ଲାଗୁ କରିଥିବା ନେଇ ସେବାୟତମାନେ ଅଭିଯୋଗ କରିଆସୁଥିଲେ । ପୂର୍ବରୁ ଜଗମୋହନ ମରାମତି ପ୍ରସଙ୍ଗରେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଭୁଲଭାବେ କାର୍ଯ୍ୟକାରୀ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିଲା । ଶ୍ରୀମନ୍ଦିର ଗର୍ଭ ଗୃହକୁ ସେବାୟତଙ୍କ ସମ୍ପର୍କୀୟ ପ୍ରବେଶ କରିବା ନେଇ, ହାଇକୋର୍ଟ କୌଣସି ଟିପ୍ପଣୀ କରିନଥିବା କହିବା ପରେ ବିବାଦକୁ ଆସିଯାଇଥିଲେ ପ୍ରଦୀପ କୁମାର ଜେନା ।