ଶନି ଓ ରବିବାର ବନ୍ଦ ରହିବ ଜଗା ଦର୍ଶନ । ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଆସନ୍ତା ୨୪ରୁ ଲାଗୁ ହେବ ନିୟମ ।

165

କନକ ବ୍ୟୁରୋ: କରୋନା ପାଇଁ ବଦଳିଲା ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ଆସନ୍ତା ସପ୍ତାହରୁ ଶନିବାର, ରବିବାର ବନ୍ଦ ରହିବ ଜଗା ଦର୍ଶନ । ଏହି ଦୁଇ ଦିନ ଶ୍ରୀମନ୍ଦିର ପରିସର ଓ ବଡ଼ଦାଣ୍ଡକୁ ସାନିଟାଇଜ କରାଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶାନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଏସଓପି । ସପ୍ତାହର ଶେଷ ୨ ଦିନ ଅର୍ଥାତ୍ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର ଭିତର ବେଢ଼ା, ସ୍ୱତନ୍ତ୍ର ବ୍ୟାରକେଡ୍, ବଡ଼ଦାଣ୍ଡ ଆଦି ସାନିଟାଇଜ୍ କରାଯିବ ।

ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ କରାଯିବ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହେଉଛି ରାଜ୍ୟ ବାହାର ଭକ୍ତଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଯାହା ୭୨ ଘଂଟା ଭିତରେ ପ୍ରସ୍ତୁତ ହୋଇଥିବ । ନହେଲେ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ପ୍ରମାଣପତ୍ର ଆବଶ୍ୟକ । ସେହିପରି ଭିତର କାଠ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ବାହାର କାଠ ନିକଟରୁ ହେବ ସର୍ବସାଧାରଣ ଦର୍ଶନ । ଅନ୍ୟପଟେ ସାନିଟାଇଜର ଓ ମାସ୍କ ବ୍ୟବହାରକୁ କଡ଼ାକଡ଼ି କରାଯିବ । ଶ୍ରୀମନ୍ଦିର ପରିସରରେ କୋଭିଡ୍ ନିୟମ ପାଳନ ନେଇ ଗଠନ ହେବ ୩ଟି ଟିମ୍ । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ମିଳିତ ଭାବେ ଏହାର ତଦାରଖ କରିବେ ।

ସେପଟେ ହରିଦ୍ୱାର କୁମ୍ଭମେଳା ଯୋଗ ଦେଇ ଫେରିଥିବା ସେବାୟତଙ୍କର କରାଯିବ କରୋନା ପରୀକ୍ଷା । ଏ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବ ସ୍ୱାସ୍ଥ୍ୟ ବିଭାଗ । ନୀଳାଚଳ ଭକ୍ତ ନିବାସରେ କରୋନା ଆକ୍ରାନ୍ତ ସେବାୟତଙ୍କ ପାଇଁ କୋଭିଡ କେୟାର ସେଂଟରକୁ କାର୍ଯ୍ୟକ୍ଷମ କରାଯାଇଛି । ଅନ୍ୟପଟେ ରାଜ୍ୟରେ ଉପରମୁହାଁ ହୋଇଛି କରୋନା ମିଟର । ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୩,୧୦୮ ନୂଆ ଆକ୍ରାନ୍ତ ।

ବିଶେଷ କରି ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରେ ଏବେ କରୋନା ହଟସ୍ପଟ ଆଡକୁ ମୁହାଁଉଛି । ରାଜଧାନୀରେ ଲୋକେ ନିୟମ ମାନୁନଥିବାରୁ ସଂକ୍ରମଣ ବଢ଼ୁଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, କୋଭିଡ ସଂକ୍ରମଣର ପ୍ରଥମ ଲହର ବେଳେ ଅଧିକ ବୟସ୍କ ଲୋକ ଆକ୍ରାନ୍ତ ହେଉଥିବାରୁ ସେମାନଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ରହିଛି, ତେଣୁ ଦ୍ୱିତୀୟ ଲହରରେ ବୟସ୍କଙ୍କ ଅପେକ୍ଷା ଯୁବଗୋଷ୍ଠୀଙ୍କୁ ଅଧିକା ସଂକ୍ରମିତ କରୁଛି କରୋନା ।