ଦୀର୍ଘ ୯ମାସ ପରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ; ପ୍ରଥମେ ସେବାୟତ କରୁଛନ୍ତି ଦର୍ଶନ

୨୬ରୁ ପୁରୀବାସିନ୍ଦା କରିବେ ଦର୍ଶନ

125

କନକ ବ୍ୟୁରୋ: ଦୀର୍ଘ ମାସ ପରେ ମିଳିଲା ମହାପ୍ରଭୁଙ୍କ ଦର୍ଶନ । ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ । ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି ସବିଶେଷ ସୂଚନା । ପ୍ରଥମେ ପର୍ଯ୍ୟାୟରେ ସେବାୟତମାନେ ମନ୍ଦିରରେ ଦିଅଁଙ୍କ ଦର୍ଶନ କରୁଛନ୍ତି । ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ । ଅଣସେବାୟତଙ୍କୁ ରୋକିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ଜଗି ରହିଛନ୍ତି ଜଗନ୍ନାଥ ଟେମ୍ପୁଲ ପୋଲିସ ।

ଭିତର ବେଢାରେ ସାତ ପାହାଚ ନିକଟ ଗରୁଡସ୍ତମ୍ଭ ପାଖରେ ପଣ୍ଡାଦ୍ୱାର, ମୁଦୁଲି ଦ୍ୱାର, ବାହାର କାଠ, ଜୟବିଜୟ ଦ୍ୱାର, ଭିତର କାଠ ଓ ବେହରଣ ଦ୍ୱାରରେ ୩ ସିଫ୍ଟରେ ୧୫ଜଣ ପ୍ରତିହାରୀ ସେବାୟତ ଶୃଙ୍ଖଳିତ ଦର୍ଶନ ପାଇଁ ନିୟୋଜିତ ହୋଇଛନ୍ତି । ଭିନ୍ନକ୍ଷମଙ୍କ ପାଇଁ ଉତରଦ୍ୱାରରେ ଦର୍ଶନ ବ୍ୟବସ୍ଥା କରାଯାଇଛି । ଅସୁସ୍ଥ ଲୋକ ଏବଂ ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ଶ୍ରୀମନ୍ଦିରକୁ ନଆସିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ୨୬ ତାରିଖ ସକାଳ ସାଢେ ୭ଟାରୁ ପୁରୀ ବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହେବ । ତେବେ ସହରବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି । ସହରବାସୀଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ଅନ୍ୟପଟେ, ଭକ୍ତଙ୍କ ପାଇଁ କାଳିଆ ଦର୍ଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବାଲୁକା କଳାକୃତି ତିଆରି କରିଛନ୍ତି ପ୍ରସିଦ୍ଧ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ତିଆରି କରିଛନ୍ତି ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ କଳକୃତି । ଏହାସହ କୋଭିଡ ନିୟମ ମାନିବାକୁ ମଧ୍ୟ ନିଜ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତା ଦେଇଛନ୍ତି ସୁଦର୍ଶନ ।