ଡିସେମ୍ବର ୨୨ରୁ ଖୋଲିପାରେ ଶ୍ରୀମନ୍ଦିର । ରାଜ୍ୟସରକାରଙ୍କୁ ସୁପାରିଶ କରିବ ମନ୍ଦିର ପ୍ରଶାସନ । ମନ୍ଦିର ଖୋଲିଲେ ଦର୍ଶନ ପାଇଁ ପ୍ରଥମେ ପୁରୀବାସୀଙ୍କୁ ମିଳିବ ସୁଯୋଗ

342

କନକ ବ୍ୟୁରୋ : ବହୁପ୍ରତୀକ୍ଷାର ଅନ୍ତ ଘଟାଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ହେବ । ଡିସେମ୍ବର ଶେଷ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ଏନେଇ ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।  ଆଜି ଏନେଇ ଶ୍ରୀମନ୍ଦିର ଛତିଶାନିଯୋଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି କି ଡିସେମ୍ବର ଶେଷ ସପ୍ତାହରୁ ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟସରକାରଙ୍କୁ ସୁପାରିଶ କରାଯିବ ।

ସୁପାରିଶ ମୁତାବକ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମେ ୪ ରୁ ୫ ଦିନ ପର୍ଯ୍ୟନ୍ତ କେବଳ ପୁରୀବାସୀ ଦର୍ଶନ କରିପାରିବେ । ଏହା ସହ ନୂଆ ବର୍ଷରେ ଶ୍ରୀମନ୍ଦିର ବନ୍ଦ ରହିବ । ସମସ୍ତ ବ୍ୟବସ୍ଥା ସରିବା ପରେ ସବୁ ଭକ୍ତଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ କିଷନ କୁମାର । ଡିସେମ୍ବର ୨୨ ରୁ ୨୫ ତାରିଖ ମଧ୍ୟରେ ମନ୍ଦିର ଖୋଲିବା ନେଇ ସରକାରଙ୍କୁ ଅନୁରୋଧ କରାଯିବ । ଏହାସହ ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବ ।

ସରକାରଙ୍କ ନିଷ୍ପତ୍ତି ଆସିବା ପରେ ଦର୍ଶନ ପାଇଁ ଏସଓପି ପ୍ରସ୍ତୁତ ହେବ । ଅନ୍ୟପଟେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ମାସ୍କ ଓ ସାନିଟାଇଜରକୁ ବାଧ୍ୟତାମୂଳକ କରାଯିବ । ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ପିଲାଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ନାହିଁ । ସମସ୍ତ ସେବାୟତ ମାନଙ୍କର ଆଇ କାର୍ଡ ପ୍ରସ୍ତୁତ ହେବ । ପ୍ରଥମ ପର୍ଯ୍ୟାୟରେ ୫ ହଜାର ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ।