ଆଜି ପବିତ୍ର ମକର ସଂକ୍ରାନ୍ତି, ଚଳଚଞ୍ଚଳ ସାରା ଓଡିଶା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକରନୀତି, ମକରବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଏପଟେ ଖୋର୍ଦ୍ଧା ଅଟ୍ରିର ହଟେଶ୍ୱର ମହାଦେବଙ୍କ ପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

336

କନକ ବ୍ୟୁରୋ: ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକରନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା ହୋଉଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଂଟ କରାଯାଇଛି । ଶ୍ରୀମନ୍ଦିରରେ ଆଜି ପାଳିତ ହେଉଛି ମକରବେଢ଼ା । ଏହି ଅସବରରେ ମାଳଚୁଳ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ମକରସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଭୋର ୩ଟାରେ ଦ୍ୱାରଫିଟା ଓ ସାଢ଼େ ୩ଟାରେ ମଙ୍ଗଳଆଳତୀ କରାଯିବ ୮ଟା ସୁଦ୍ଧା ସକାଳଧୂପ ଓ ସାଢ଼େ ୧୦ଟା ସୁଦ୍ଧା ମକରବେଶ କରାଯିବା ନେଇ ନୀତି ସ୍ଥିର ହୋଇଛି ।

ସେହିପରି ଅପରାହ୍ନ ଗୋଟିଏରେ ମକରବେଢା ହେବା ସହ ଅନ୍ୟାନ୍ୟ ନୀତି କରାଯିବା ନେଇ ସ୍ଥିର ହୋଇଛି । ମକରସଂକ୍ରାନ୍ତି ଅବସରରେ ମକରଚାଉଳ ଭୋଗ ସହ ମହାପ୍ରଭୁଙ୍କ ମକରବେଶ ପାଇଁ ଆଜି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାରେ ଲାଗିଛି । ମହାପ୍ରଭୁଙ୍କ ମକରବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳଚୁଳ ପ୍ରସ୍ତୁତ କରାଯାଇଥିବା ବେଳେ ବଡ଼ ଓଡ଼ିଆ ମଠ ପକ୍ଷରୁ ରଙ୍ଗବେରଙ୍ଗର ବିଭିନ୍ନ ସୁବାଶିଷ ପୁଷ୍ପ ଓ ତୁଳସୀ ଆଦିକୁ ନେଇ ସୁସଜ୍ଜିତ ମାଳଚୁଳ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଦିଆଯାଇଛି । ଅନ୍ୟପଟେ ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ପହିଲି ଭୋଗ ମକରସଂକ୍ରାନ୍ତି ଦିନଠାରୁ ବନ୍ଦ ହୋଇଥାଏ । କାରଣ ମା ଲକ୍ଷ୍ମୀ ଧନୁ ସଂକ୍ରାନ୍ତିଠାରୁ ନିଜ ବାପଘରକୁ ଯାଇଥିବାରୁ ମା ବିମଳା ନିଜ ପୁତ୍ରପାଇଁ ସକାଳୁ ପହିଲି ଭୋଗ ପ୍ରସ୍ତୁତ କରୁଥିଲେ । ଆଉ ଏବେ ଲକ୍ଷ୍ମୀ ସାଆନ୍ତାଣୀ ଫେରିଥିବାରୁ ମହାପ୍ରଭୁ ମା’ ଲକ୍ଷ୍ମୀଙ୍କ ହାତ ରନ୍ଧା ଖାଇବେ ବୋଲି ବିଧି ରହିଛି ।

ସେପଟେ, ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । ଏହି ଅବସର କଟକ ଏବଂ କୋଣାର୍କ ବେଳାଭୂମୀରେ ଗୁଡ଼ି ଉଡା ପ୍ରତିଯୋଗୀତା ଦେଖିବାକୁ ମିଳିଛି । ବିଭିନ୍ନର ରଙ୍ଗ ବେରଙ୍ଗ ଗୁଡ଼ି ଉଡାଇ ମକର ସଂକ୍ରାନ୍ତି ଉତ୍ସବ ପାଳନ କରିଛନ୍ତି ପର୍ଯ୍ୟଟକ । ଏଥିରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ସେହିଭଳି ମକର ସଂକ୍ରାନ୍ତିରେ ଖୋର୍ଦ୍ଧା ଅଟ୍ରି ହଟେଶ୍ୱର ମହାଦେବଙ୍କ ପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ମହାଦେବଙ୍କ ଦର୍ଶନ ସହ ଏଠି ଥିବା ପବିତ୍ର କୁଣ୍ଡର ଜଳ ପାଇଁ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ହେବାରେ ଲାଗିଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମକର ସଂକ୍ରାନ୍ତରେ ଏଠି ମକରମେଳା ଧୁମଧାମରେ ପାଳନ ହେବାକୁ ଯାଉଛି । ଏହି ଶୈବପୀଠରେ ଥିବା ଉଷ୍ଣପ୍ରସ୍ରବଣ କୁଣ୍ଡ ଶ୍ରଦ୍ଧାଳୁଙ୍କ ବିଶେଷ ଭାବେ ଆକର୍ଷିତ କରିଥାଏ । ବିଶ୍ୱାସ ରହିଛି ଏହି କୁଣ୍ଡରୁ ବାହାରୁଥିବା ପାଣିରେ ଗାଧେଇଲେ ଚର୍ମରୋଗ ଦୂର ହେବାର ବିଶ୍ୱାସ ରହିଛି । ସେହିପରି ଏଠାରେ ମକର ମେଳାରେ ସନ୍ତାନ ପ୍ରାପ୍ତି ଆଶାରେ ଗୁଆ ଖୋଜା ପର୍ବ ଅନୁଷ୍ଠିତ ହୁଏ ।