ଜଗମୋହନ ମରାମତି ! ଆରମ୍ଭ ହେଲା ସିଲିଂ ଡିଜାଇନ୍

41

କନକ ବ୍ୟୁରୋ: ଜଗମୋହନ ମରାମତି ପ୍ରକ୍ରିୟା ଜାରି ରହିଛି । ନିୟମିତ ସମୟ ବ୍ୟବଧାନରେ ହାଇକୋର୍ଟ ଏହାର ସ୍ଥିତାବସ୍ଥା ତଥା ପ୍ରଗତି ସମ୍ବନ୍ଧରେ ସତ୍ୟପାଠ ଜରିଆରେ ତଥ୍ୟ ହାସଲ କରୁଛନ୍ତି । ଏହି କ୍ରମରେ ୧୨ ତାରିଖ ଦିନ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଳିତ ଭାବେ ହାଇକୋର୍ଟରେ ଏହାର ସ୍ଥିତାବସ୍ଥା ସମ୍ବନ୍ଧରେ ସତ୍ୟପାଠ ଦାଖଲ କରିବେ । ତେବେ ଏହା ପୂର୍ବରୁ ଏହି ଜଗମୋହନରେ ଲାଗିଥିବା ପୋର୍ଟାଲ ଫ୍ରେମରେ ପଥର କ୍ଲାଡ଼ିଂ ଚାଲିଥିବା ବେଳେ ଗତକାଲି ଠାରୁ ସିଲିଂ କାମ ଆରମ୍ଭ ହୋଇଛି । ଛାତକୁ ଦିଆଯାଇଥିବା ସପୋର୍ଟ ଆଉ ବାହାରକୁ ନ ଦିଶିବା ପାଇଁ ଏହି ସିଲିଂ କରାଯାଉଛି । ମୂଲ୍ୟବାନ କାଠ ଯାହା ଶହ ଶହ ବର୍ଷ ମଜବୁତ ରହିବ ସେହି କାଠରେ ଏହି ସିଲିଂ କରାଯାଉଛି । ପୋର୍ଟାଲ ଫ୍ରେମ୍ ସ୍ଥାପନ କରିଥିବା ଦିଲୀପ୍ କନଷ୍ଟ୍ରକସନ ଏହି କାମ ଆରମ୍ଭ କରିଛି । ଏହାକୁ ଏକ ସୁନ୍ଦର ଡିଜାଇନ୍ ଦିଆଯିବା ପାଇଁ ଯୋଜନା ହୋଇଛି ।

ଏହି ଡିଜାଇନ୍ ଏଏସଆଇ ସହ ଶ୍ରୀମନ୍ଦିର ପ୍ରଶାସନର ସ୍ୱୀକୃତି ପାଇବା ପରେ କାଠରେ ତିଆରି ହୋଇଛି । ୨ ଇଞ୍ଚ ଓସାରରେ ପାଖାପାଖି ୨ଶହ ସିଏଫଟି କାଠ ଲାଗିବାକୁ ନିଷ୍ପତ୍ତି ହୋଇଛି । ସମସ୍ତ ଡିଜାଇନ୍ ପ୍ରସ୍ତୁତ ହୋଇଛି । ପ୍ରସ୍ତୁତି ସରିବା ପରେ ଏହାକୁ ଗତକାଲି ଲଗାଇବା ଆରମ୍ଭ କରାଯାଇଛି । ୯ଟି ପ୍ଲେଟରେ ଫୁଲ ଡିଜାଇନ୍ ରହିଥିବା ବେଳେ ମଝିରେ ଏକ ବଡ଼ ପାତ୍ର ଭଳି ଡିଜାଇନ୍ ରଖିବାକୁ ସ୍ଥିର ହୋଇଛି । ଏଭଳି ମୋଟ ୨୫ ଖଣ୍ଡ ଲାଗିବ। ଏଏସଆଇ ପକ୍ଷରୁ ଭାରା ବନ୍ଧା ଯିବା ପରେ କାରିଗରମାନେ ଚଢ଼ି କାମ ଆରମ୍ଭ କରିଛନ୍ତି । ଏହି କାଠ ସିଏଫଟି ପିଛା ୧୦ ହଜାରରୁ ଅଧିକ ହୋଇଥିବାରୁ ବର୍ଷ ବର୍ଷ ଧରି ଏହା ନଷ୍ଟ ହେବ ନାହିଁ ବୋଲି ସଂସ୍ଥାର ପ୍ରୋପାଇଟର ଦିଲୀପ ଖଟେଇ କହିଛନ୍ତି । ଧାର୍ଯ୍ୟ ସମୟ ମିଳିଲେ ଏହା ୭ ଦିନ ମଧ୍ୟରେ ଶେଷ କରିଦେବା ପାଇଁ ଯୋଜନା ହୋଇଥିବା ସେ କହିଛନ୍ତି ।

ଅନ୍ୟପଟେ ନାଟମଣ୍ଡପ ମରାମତି ପାଇଁ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି । ନାଟମଣ୍ଡପ ହସ୍ତାନ୍ତର କରାଗଲେ ମରାମତି କାମ ଆରମ୍ଭ କରିବା ପାଇଁ କୁହାଯାଇଛି । ସେହିଭଳି ଦ୍ଵିତୀୟ ଥାକ ଓ ଆର୍ଥିଂ ଯାଞ୍ଚ କରିବା ପାଇଁ ଶ୍ରୀମନ୍ଦିରରେ ଭାରାବନ୍ଧା ଜାରି ରହିଛି । ଆଉ ୩ରୁ ୪ ଦିନ ଭିତରେ ଭାରାବନ୍ଧା ଶେଷ ହେଲେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ସିଏମଏଫଆରଆଇରୁ ପୁଣି ଥରେ ବୈଜ୍ଞାନିକ ଆସି ଏହାକୁ ଯାଞ୍ଚ କରିବେ। ମାଙ୍କଡ଼ମାନେ ଆର୍ଥିଂ ନଟବୋଲ୍ଟ ହୁଗୁଳା କରି ଦେଉଥିବାରୁ ସକ୍ ଲାଗିବା ଆଶଙ୍କା ରହିଛି । ଏହାକୁ ଯାଞ୍ଚ କରାଯିବା ସହ ଦ୍ଵିତୀୟ ଥାକ ଯାଞ୍ଚ ହେବ ।

ଏଥିରେ ଅଟୋମେଟିକ୍ ଏଗଜଷ୍ଟ ଫ୍ୟାନ୍ ଲଗାଇବା ଯୋଜନା କରାଯାଇଛି । ଏହି ଥାକରେ ଫ୍ୟନ୍ ଚାଲୁଛି କି ନାହିଁ ତାହା ନ ଚଢ଼ିଲେ ଯାଞ୍ଚ କରିବା ସମ୍ଭବ ହେଉନଥିବାରୁ ଏହି ଅଟୋମେଟିକ୍ ବ୍ୟବସ୍ଥା କରାଯିବାକୁ ରହିଛି । ଏହି ବ୍ୟବସ୍ଥାରେ ତଳେ ଥାଇ ଫ୍ୟାନର ସ୍ଥିତାବସ୍ଥା ସମ୍ବନ୍ଧରେ ଜାଣି ହେବ ବୋଲି ଏଏସଆଇ କହିଛି । ଅନ୍ୟପଟେ ଲୁହାଫ୍ରେମକୁ ପଥର କ୍ଲାଡିଂ କରାଯାଉଛି । ଚର୍ଚ୍ଚିତ ଶିଳ୍ପୀ ରଘୁନାଥ ମହାପାତ୍ର ଏହି କାମ କରୁଛନ୍ତି। ନଟବୋଲ୍ଟ ଜରିଆରେ ଷ୍ଟିଲ ଖୁଣ୍ଟରେ ଏହାକୁ ଫିକ୍ସ କରାଯାଉଛି । ସମାନ୍ତରାଳ ଭାବରେ ସିଲିଂ, ଭାରାବନ୍ଧା ଓ ପଥର କ୍ଲାଡିଂ କାମ ଚାଲୁ ରହିଛି ।