କନକ ବ୍ୟୁରୋ: ଓଡିଶାରେ ଦେଖା ଦେଇଛି ଆଳୁର ଭୟଙ୍କର ଅଭାବ । ଯେତେ ଯାହା କଲେ ବି ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଳୁ ଅଟକାଇ ଦେବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି। ଆଳୁର ଦର ବଜାରରେ ଏତେ ବଢି ଯାଇଛି ଯେ, ଦର ଶୁଣି ଲୋକଙ୍କୁ ଡର ଲାଗୁଛି ।
ଆଳୁର ଭାଉ ବଢ଼ିକି ଥିବା ବେଳେ ଆଳୁ ସଙ୍କଟ ଦୂର କରିବା ପାଇଁ କଲିକତା ଯିବେ ଜଗନ୍ନାଥ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଆଜି କୋଲକାତା ଯାଇଛନ୍ତି । ଓଡିଶାକୁ ଆଳୁ ପଠାଇବା ବାବଦରେ ସେ ଦିଦିଙ୍କ ସହ ଆଲୋଚାନ କରିବେ । ମମତାଙ୍କୁ ମନାଇବେ । ସେ କଥା ହେବା ପରେ ରାଜ୍ୟରେ ଉପୁଜିଥିବା ଆଳୁ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ।
ଦିଦିଙ୍କ ସହ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନୀଙ୍କର ସୁ-ସମ୍ପର୍କ ରହିଛି। ବିଭିନ୍ନ ସମୟରେ କୋଲକାତାରେ ଦିଦିଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି ଜଗୁନୀ । ବିଶେଷ କରି କାଳିପୂଜା ଓ ଦୁର୍ଗାପୂଜା ସମୟରେ ଜଗନ୍ନାଥ ସ୍ବାଇଁ ମହାପାତ୍ର ମମତା ବାନାର୍ଜୀଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି। ତେଣୁ ତାଙ୍କ କଥା ଦିଦି ରଖିବେ ବୋଲି ସେ ଆଶା ରଖିଛନ୍ତି।