ମମତାଙ୍କୁ ନେଇ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀଙ୍କ ଭବିଷ୍ୟତବାଣୀ । କହିଲେ, ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ମମତା ।

1,026

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଜଗୁନି କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ପୁଣି ଜିତିବ ମମତାଙ୍କ ଦଳ ଟିଏମସି । ନିର୍ବାଚନରେ ବିଜୟ ସହିତ ପୁଣି ପଶ୍ଚିମବଙ୍ଗରେ କ୍ଷମତା ବଜାୟ ରଖିବେ ମମତା ବାନାର୍ଜୀ ।

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଡାକରାରେ ପଶ୍ଚିମବଙ୍ଗ ଯାଇଥିଲେ ଜଗୁନି । ଏପରିକି ମମତାଙ୍କ ଘରେ ସେ ଗ୍ରହଶାନ୍ତି ପୂଜା କରିଥିଲେ । ପଶ୍ଚିମବଙ୍ଗରୁ ଫେରିବା ପରେ ଏଭଳି ଚାଂଚଲ୍ୟକର ଭବିଷ୍ୟବାଣୀ କରିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ।

ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଶରଣରେ ଆସିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତାରେ ମମତାଙ୍କ କାଳିଘାଟ ବାସଭବନରେ ହୋଇଥିଲା ଦୀର୍ଘ ୧୦ ଘଂଟାର ପୂଜାର୍ଚ୍ଚନା । ଆଉ ଏହି ସମୟରେ ପାଖରେ ଥିଲେ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଗତ ନିର୍ବାଚନରେ ମଧ୍ୟ ମମତା ବିଜୟୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ପରେ ନିର୍ବାଚନ ଫଳାଫଳ ମଧ୍ୟ ସେଇଆ ହୋଇଥିଲା । ତେଣୁ ତାଙ୍କ ପ୍ରତି ମମତାଙ୍କ ଆସ୍ଥା ବଢି ଯାଇଥିଲା ।

ଜଗନ୍ନାଥଙ୍କ ଉପରେ ବିଶ୍ୱାସ ରଖୁଥିବା ମମତାଙ୍କ ପାଇଁ ଏହି ଭବିଷ୍ୟବାଣୀ ବେଶ ଗୁରୁତ୍ୱ ରଖୁଛି । କାରଣ ପୂର୍ବରୁ ଜଗୁନି କରୁଥିବା ଭବିଷ୍ୟବାଣୀ ମମତାଙ୍କ ମନରେ ଜଗନ୍ନାଥଙ୍କ ପାଇଁ ବିଶ୍ୱାସ ଆଣିଦେଇଛି । ପଶ୍ଚିମ ବଙ୍ଗରେ ମାର୍ଚ୍ଚ ୨୭ ଭୋଟ ଆରମ୍ଭ ହେବ ଏବଂ ୮ଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି ।