କନକ ବ୍ୟୁରୋ : ଆସନ୍ତା ୧୪ ତାରିଖରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଭିତର ରତ୍ନଭଣ୍ଡାର ଖୋଲିବାକୁ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଭିତର ରତ୍ନଭଣ୍ଡାର ଖୋଲିବା ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କ ଅନୁମତି ମିଳିଲେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଚାବି କାମ କରୁ ବା ନକରୁ ରତ୍ନଭଣ୍ଡାର ଖୋଲାଯିବ ବୋଲି ସ୍ପଷ୍ଟ କରିଛନ୍ତି କମିଟି ଅଧ୍ୟକ୍ଷ ।

ଏସବୁ ଭିତରେ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, ବହୁଦିନ ହେବ କହି ଆସୁଥିଲି ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଉ । ଯାହାର ଅଭିଜ୍ଞତା ଥିବ ସେମାନଙ୍କୁ ଆଣି ରତ୍ନଭଣ୍ଡାର ଖୋଲାଯାଉ । ଏଣୁତେଣୁ ଲୋକଙ୍କୁ ଆଣି ରତ୍ନଭଣ୍ଡାର ଖୋଲିଲେ କିଛି ଲାଭ ନାହିଁ । ପ୍ରତ୍ୟେକ ସେବାୟତ ନିଯୋଗରୁ ଜଣେ ଲେଖାଏଁ ଅଭିଜ୍ଞ ସେବାୟତଙ୍କୁ ରଖାଯିବା ସହ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ରତ୍ନଭଣ୍ଡାର ଖୋଲାଯିବା ବେଳେ ଉପସ୍ଥିତ ରୁହନ୍ତୁ । ଯେଉଁ ବଣିଆ ଭଲଭାବେ ରତ୍ନ ଚିହ୍ନଟ କରିପାରିବେ ସେମାନଙ୍କୁ ଅଣାଯାଇ ଏହାର ଚିହ୍ନଟ କରାଯାଉ । ରତ୍ନଭଣ୍ଡାର ପାଇଁ ଷ୍ଟ୍ରଙ୍ଗ ରୁମ୍ ହେଉ । ରତ୍ନଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ତାହାକୁ ଆଗ ଯାଞ୍ଚ କରାଯାଉ । ଏହାକୁ ମରାମତି କରି ରତ୍ନଭଣ୍ଡାରକୁ ଆହୁରି ସୁରକ୍ଷିତ କରାଯାଉ ।

ରତ୍ନଭଣ୍ଡାରର ଗଣତି ମଣତି ବେଳେ ସମସ୍ତ ରତ୍ନ ଶ୍ରୀମନ୍ଦିର ଭିତରେ ରହିବ, ଏହା ବାହାରକୁ ଆସିବା ଉଚିତ୍ ନୁହେଁ ବୋଲି କହିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ । ମହାପ୍ରଭୁଙ୍କ ରତ୍ନକୁ ରଖିବାକୁ ମନ୍ଦିର ଭିତରେ ଷ୍ଟ୍ରଙ୍ଗ ରୁମ କରାଯାଉ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ରତ୍ନଭଣ୍ଡାର ଗଣତି ମଣତି ବେଳେ ରୁହନ୍ତୁ । ନହେଲେ ଏହା ପିଲାଖେଳ ପାଲଟିଯିବ । ଯାହା ନାଁ କହି ବିଜେପି ସରକାରକୁ ଆସିଛି, ତେଣୁ ତାଙ୍କ କାମରେ ମୁଖ୍ୟମନ୍ତ୍ରୀ ରୁହନ୍ତୁ ବୋଲି କହିଛନ୍ତି ଜଗନ୍ନାଥ ସ୍ୱାଇଁମହାପାତ୍ର । ରତ୍ନଭଣ୍ଡାରର ଗଣତି ମଣତି ଶେଷ ହେବା ପାଇଁ ୬ରୁ ୭ ମାସ ସମୟ ଲାଗିବ ବୋଲି ସେ କହିଛନ୍ତି ।

ଏସବୁ ଭିତରେ ରତ୍ନଭଣ୍ଡାର ଯାଞ୍ଚ କମିଟି ପକ୍ଷରୁ ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ଗଣତି ମଣତି ଓ ମରାମତି ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଗହଣା ଗଣିବା ପାଇଁ ଏକ ସ୍ଥାନ ଚିହ୍ନଟ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିକୁ କୁହାଯାଇଛି।କମିଟି ପକ୍ଷରୁ ଶ୍ରୀମନ୍ଦିର ଭିତରେ ଏକ ରୁମ୍ ଚିହ୍ନଟ ହୋଇଛି। ତେବେ ରତ୍ନଭଣ୍ଡାରରେ ୩ ପ୍ରକାର ଗହଣା ରହିଛି।ଶ୍ରୀଜୀଉଙ୍କ ସର୍ବକାଳୀନ ଅବ୍ୟବହାର ଗହଣା। ସର୍ବକାଳୀନ ବ୍ୟବହାର ଗହଣା ଓ ରୀତିନୀତି ଦିନ ବ୍ୟବହାର ଗହଣା। ବହୁ ପୁରୁଣା ରତ୍ନ ଅଳଙ୍କାର ରହିଛି, ସେସବୁ ଆଳି ଅଳଙ୍କାରକୁ ସବୁ ବଣିଆ ଚିହ୍ନିବା ବହୁ କଷ୍ଟକର ହୋଇପାରେ। ତେଣୁ ଗହଣା ଚିହ୍ନିବା ପାଇଁ ଉପଯୁକ୍ତ ବଣିଆ ଗ୍ରୁପ୍ ଓ ମେଟ୍ରୋଲୋଜିଷ୍ଟ ଗ୍ରୁପ୍ ଚିହ୍ନଟ ହେବ। ସେସବୁ ଗ୍ରୁପ୍ ସରକାର ଚିହ୍ନଟ କରିବେ। ଗହଣାର କ୍ୟାରେଟ୍ କେତେ ଓ ହାରା, ନୀଳା, ମୋତି ମାଣିକର ନେଚର କଣ ଜାଣିବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ରତ୍ନଭଣ୍ଡାର ଯାଂଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ପୁରା ଗଣତି ପାଇଁ ବିଭିନ୍ନ ପ୍ରକାର ଟିମ୍ ଗଠନ କରାଯିବ। ସରକାରଙ୍କ ବିଶ୍ୱସ୍ତ ଲୋକଙ୍କୁ ନେଇ ଟିମ୍ ଗଠନ କରାଯିବ। ତେବେ ରତ୍ନଭଣ୍ଡାର ଖୋଲିବା ସମୟରେ ଶ୍ରୀଜୀଉଙ୍କ ନୀତିକାନ୍ତିରେ କୌଣସି ବାଧା ଉପୁଜିବ ନାହିଁ। ଭକ୍ତଙ୍କ ଦର୍ଶନ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇପାରେ। ଏବଂ ଶ୍ରଦ୍ଧାଳୁମାନେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଜଷ୍ଟିସ ରଥ ।