ପୂଜା ସରିବା ପରେ ଅଲୋଡା ହୋଇଗଲା ଜଗନ୍ନାଥଙ୍କ ମାଟି ମୂର୍ତ୍ତି । ବାଲେଶ୍ୱର ତାଳସାରୀରେ ବିସର୍ଜନ ବେଳେ ଜଗାକୁ ଏ କି ବ୍ୟବହାର ?

181

କନକ ବ୍ୟୁରୋ : ଜଗନ୍ନାଥ । କାଳିଆ! ଭାବ ବିନୋଦିଆ । ବଡ ଦେଉଳର ବଡ ଠାକୁର । ସେ ପ୍ରତି ଓଡିଆଙ୍କ ପ୍ରାଣକେନ୍ଦ୍ର । ଆମ ଭାବର ଠାକୁରଙ୍କୁ ଏ କି ପ୍ରକାର ସମ୍ମାନ । ବିସର୍ଜନ ବେଳେ ଫିଙ୍ଗି ଦିଆଯାଉଛି । ଏ ଦୃଶ୍ୟକୁ ଦେଖିବା ବେଳକୁ ଛାତି କୋରି ହୋଇଯାଉଛି । ହେଲେ ଏ ବ୍ୟକ୍ତିମାନେ ଏମିତି କେମିତି କରିପାରୁଛନ୍ତି । ଶ୍ରୀଜିଉଙ୍କ ମୂର୍ତ୍ତିକୁ ପାଣିରେ ବିସର୍ଜନ ବେଳେ ଟ୍ରାକ୍ଟରରୁ ଫିଙ୍ଗି ଦେଉଛନ୍ତି । ମହାବାହୁ ପାଣିରେ ନପଡି ଟ୍ରାକ୍ଟର ଡାଲାରେ ମୁହଁ ମାଡି ପଡିଯାଉଛନ୍ତି । ପରେ ଦୁଇ ଜଣ ବ୍ୟକ୍ତି ସେହି ମୂର୍ତଙ୍କୁ ଅତି କଦଯ୍ୟ ଭାବେ ତାଳସାରୀ ମହୋଦଧୀରେ ବିସର୍ଜନ କରୁଛନ୍ତି । ଏହି ଦୃଶ୍ୟକୁ ଦେଖିବା ପରେ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଏ କି ପ୍ରକାର ବିସର୍ଜନ । ତେବେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଥାନାଛକ ହେଲିପ୍ୟାଡ ପଡିଆରେ ଡିସେମ୍ବର ୧୩ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ୩୨ ବେଶ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଗତକାଲି କାର୍ଯ୍ୟକ୍ରମ ସରିବା ପରେ ଆଜି ଜଗନ୍ନାଥଙ୍କ ବେଶ ମୂର୍ତି, ରାଧାକୃଷ୍ଣ, ଲକ୍ଷ୍ମୀ, ଶିବ ଓ ସରସ୍ୱତୀଙ୍କ ମୂର୍ତିକୁ ବିସର୍ଜନ କରାଯାଇଛି । ୧୦ଟି ଟ୍ରାକ୍ଟରରେ ଠାକୁରଙ୍କ ମାଟି ମୂର୍ତିକୁ ବିସର୍ଜନ ପାଇଁ ତାଳସାରୀ ବେଳଭୂମିକୁ ନିଆଯାଇଥିଲା । ଆଉ ବିସର୍ଜନ ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁ ଦୃଶ୍ୟ ପ୍ରତି ଓଡିଆଙ୍କ ଭାବାବେଗକୁ ଆଘାତ ଦେଇଛି ।