କନକ ବ୍ୟୁରୋ: ନୂଆ ବର୍ଷ ପାଇଁ ସଜେଇ ହେଉଛି ଶ୍ରୀମନ୍ଦିର । ନୂଆବର୍ଷକୁ ଆଉ ଦୁଇଦିନ ବାକି ଥିବା ବେଳେ ଆଜି ନବନିର୍ମିତ ସେଡ଼କୁ ଅଧିକ ଆକର୍ଷଣୀୟ କରାଯାଇଛି । ନବନିର୍ମିତ ସେଡ଼ରେ ଖୁବ୍ ସୁନ୍ଦର ଭାବେ ଫୁଲ ସଜା ଯାଇଛି । ଏପରିକି ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ପାଇଁ ସାଉଣ୍ଡ ବକ୍ସ ମଧ୍ୟ ଲଗାଯାଇଛି । ଏଥିରେ ଭକ୍ତିପୁର୍ଣ୍ଣ ଭଜନ ଜଗନ୍ନାଥଷ୍ଟକ ବାଜିବ । ସେହିଭଳି ଭକ୍ତମାନଙ୍କ ଉପରେ ନଜର ରଖିବା ପାଇଁ ଅତ୍ୟାଧୁନିକ ସିସି ଟିଭି କ୍ୟାମେରା ବି ଲଗାଯାଇଛି । ପୁରୀକୁ ନୂଆ ରୁପ ଦେବା ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଥିବା ବେଳେ ସିଂହଦ୍ୱାର ସମ୍ମୁଖ ପାଚେରୀ କଡ଼ରେ ସବୁଜିମା ସୃଷ୍ଟି କରାଯାଇଛି ।

Advertisment

publive-image

ସେପଟେ ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷାକୁ ବଢାଇ ଦିଆଯାଇଛି । ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୁରୀ ସହର ଏବଂ ସହର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ମିଳିଥିବା ସୂଚନା ମୁତାବକ, ନୂଆବର୍ଷ ଉପଲକ୍ଷେ ୨ ଜଣ କମାଣ୍ଡାଣ୍ଟଙ୍କୁ ମୁତୟନ କରାଯାଇଛି। ସେହି ଭଳି ୭ ଜଣ ଏଏସପି, ୧୯ ଜଣ ଡିଏସପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୪୮ ଥାନା ଅଧିକାରୀ, ୨୦୦ ଏସଆଇ ଓ ଏଏସଆଇଙ୍କୁ ମୁତୟନ କରାଯାଇଛି। ହାବିଲଦାର ଓ ଟ୍ରାଫିକ୍ ପୁଲିସକୁ ମିଶାଇ ୩୬ ଜଣ ଓ ୨୨୯ କନଷ୍ଟେବଳଙ୍କୁ ସୁରକ୍ଷା ଦାୟିତ୍ବ ବଣ୍ଟନ କରାଯାଇଛି। ଏହାବାଦ୍ ୬୦୦ ହୋମାଗାର୍ଡ଼ଙ୍କୁ ବି ମୁତୟନ କରାଯାଇଛି।

publive-image

ଅନ୍ୟପଟେ ନୂଆବର୍ଷରେ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ଡିସେମ୍ବର ୩୧ ଓ ଜାନୁଆରି ୧ରେ ମାଲବାହୀ ଗାଡ଼ି ଚଳାଚଳରେ କଟକଣା ଲଗାଯାଇଛି। ଏହି ଦୁଇଦିନ ସହର ଭିତରେ ମାଲବାହୀ ଗାଡ଼ି ପ୍ରବେଶରେ ରୋକ୍ ଲଗାଯାଇଛି। ଦୈନନ୍ଦିନ ଯାତାୟାତ କରୁଥିବା ଯାତ୍ରୀବାହୀ ବସ ଓ ଟୁରିଷ୍ଟ ବସ ଚଳାଚଳର ରୁଟ୍ ପରିବର୍ତ୍ତନ କରାଯାଇନି। ପୂର୍ବଭଳି ପୁରୀ ବସଷ୍ଟାଣ୍ଡକୁ ଦୈନନ୍ଦିନ ଯାତାୟାତ କରୁଥିବା ବସ୍ ନିଜ ରୁଟରେ ଚଳାଚଳ କରିବ। ଟୁରିଷ୍ଟ ବସ୍ମାନେ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବେ। କିନ୍ତୁ ଚାରିଚକିଆ, ତିନିଚକିଆ ଓ ଦୁଇଚକିଆ ଉପରେ କଟକଣା ଲଗାଯାଇଛି।