ରଥ ନିର୍ମାଣ ବାବଦରେ ବିଧାୟକଙ୍କ ଚିଠି ବଢାଇଲା ବିବାଦ । ନୀଳଗିରି ବିଧାୟକଙ୍କ ନାଁରେ ଏତଲା, ନିଜକୁ ଜଗତଗୁରୁ ଭାବୁଛନ୍ତି କି ବୋଲି ପ୍ରଶ୍ନ କଲା ଜଗନ୍ନାଥ ସେନା ।

424

କନକ ବ୍ୟୁରୋ : ବିଧାୟକଙ୍କ ଚିଠି ବଢାଇଲା ବିବାଦ । ବାଲେଶ୍ୱର ନୀଳଗିରିରେ ଚଳିତବର୍ଷ ରଥଯାତ୍ରା ନେଇ ଜିଲ୍ଲାପାଳଙ୍କୁ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକଙ୍କ ଚିଠି, ବିବାଦ ଘେରକୁ ଟାଣିନେଇଛି । କୋଭିଡ୍ ସମୟରେ ରଥ ନିର୍ମାଣରେ ଅଯଥା ଖର୍ଚ୍ଚ ନକରାଯାଉ ବୋଲି ସେ ନିଜ ଚିଠିରେ ଉଲ୍ଲେଖ କରିଥିଲେ । ତେବେ ମହାପ୍ରଭୁଙ୍କ ରଥଯାତ୍ରା ନେଇ ଖର୍ଚ୍ଚକୁ ଅଯଥା ବୋଲି କହିବା, ଅତ୍ୟନ୍ତ ଅଶୋଭନୀୟ ଏବଂ ଏହା ଜଗନ୍ନାଥପ୍ରେମୀଙ୍କ ଭାବାବେଗ ପ୍ରତି କୁଠାରଘାତ ବୋଲି ଅଭିଯୋଗ ହୋଇଛି ।

ସେପଟେ ବିଧାୟକଙ୍କ ଚିଠିକୁ ନେଇ ବର୍ଷିବା ସହ ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । ଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି, ବିଧାୟକ ହୋଇ କଳାପାହାଡ ଭଳି କାମ କରିଛନ୍ତି । ବାଲେଶ୍ୱର ନୀଳଗିରିରେ ରଥ ନିର୍ମାଣରେ ଅଯଥା ଖର୍ଚ୍ଚ ନକରିବାକୁ ଚିଠି ଲେଖି ସମସ୍ତ ଜଗନ୍ନାଥପ୍ରେମୀଙ୍କ ମନରେ ବିଧାୟକ ଆଘାତ ଦେଇଛନ୍ତି । ସ୍ଥାନୀୟ ପ୍ରଶାସନ ଏବଂ ସରକାର ଚୁପ୍ ଥିବା ବେଳେ ରଥଯାତ୍ରା ବନ୍ଦ କରାଇବାକୁ ବିଧାୟକଙ୍କୁ କିଏ ଦେଲା ଅନୁମତି । ବିଧାୟକ କଣ ନିଜକୁ ଜଗତଗୁରୁ ଭାବୁଛନ୍ତି କି ବୋଲି ପ୍ରଶ୍ନ କରିଛି ଜଗନ୍ନାଥ ସେନା । ବିଧାୟକ ତୁରନ୍ତ କ୍ଷମା ପ୍ରାର୍ଥନା ନକଲେ, ତାଙ୍କୁ ଗିରଫ କରିବା ପାଇଁ ଆଗାମୀ ଦିନରେ ଦାବି ଜୋର ଧରିବ ବୋଲି ଚେତାଇ ଦେଇଛି ଜଗନ୍ନାଥ ସେନା ।