ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ଉଭାଯାତ୍ରା : ଶ୍ରୀମନ୍ଦିର ସିଂହଦ୍ୱାର ଚକଡାକୁ ଆସିବ ତିନି ରଥ

75

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଆଜି ପାଳିତ ହେବ ଉଭା ଯାତ୍ରା । ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ସଂପନ୍ନ ହେବା ପରେ ରଥଖଳାକୁ ଯିବା ମହାପ୍ରଭୁଙ୍କ ଆଜ୍ଞାମାଳ । ରଥଖଳାରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବା ପରେ ତିନି ରଥର ଚକ ଅଖରେ ତୈଲ ଲାଗି ହୋଇ ସିଂହଦ୍ୱାର ଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଏହାପରେ ରଥଖଳାରେ ପ୍ରସ୍ତୁତ ତିନି ରଥକୁ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସିଂହଦ୍ୱାରକୁ ଟାଣି ଟାଣି ଆଣିବେ ।

ସିଂହଦ୍ୱାର ଚକଡାରେ ତିନି ରଥକୁ ଟାଣି ଆଣିବା ପରେ ଉତ୍ତର ମୋଡ କରାଯିବ । ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ତିନିରଥରେ ବସି ଗୁଣ୍ଡିଚା ଯାତ୍ରା କରିବେ ଚତୁର୍ଦ୍ଧାମୂରତି । ରଥଯାତ୍ରାର ପୂର୍ବ ପ୍ରସ୍ତୁତି ଯୋଗୁଁ ଭକ୍ତଙ୍କ ପାଇଁ ଆଜି ୫ ଘଣ୍ଟା ଦର୍ଶନ ବ୍ୟବସ୍ଥା କରାଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସଂପାଦନ ପ୍ରସ୍ତୁତି ପାଇଁ ସନ୍ଧ୍ୟା ୫ଟା ପରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ।