କନକ ବ୍ୟୁରୋ: ମମତା ମହନ୍ତଙ୍କ ପରେ ରାଜ୍ୟସଭା ଆସନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜଗନ୍ନାଥ ପ୍ରଧାନ । ଜଗନ୍ନାଥ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । କିଛି ବିଜେପି ନେତାଙ୍କ ସହ ଆସି ସେ ସ୍ୱାଧୀନ ଭାବେ ରାଜ୍ୟସଭା ଆଶନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ କାହିଁକି ନାମାଙ୍କନ ଦାଖଲ କରିଛନ୍ତି ତାହା ହେଉଛି ସବୁଠୁ ବଡ ପ୍ରଶ୍ନ ।

ସୂଚନାଯୋଗ୍ୟ ଯେ, ବିଜେପି ପକ୍ଷରୁ ନାମ ଘୋଷଣା ପରେ ଆଜି ବିଧାନସଭାକୁ ଆସି ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ମମତା ମହନ୍ତ । ଏପରିକି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ନାମାଙ୍କନରେ ପ୍ରସ୍ତାବକ ରହିଥିଲେ । ହେଲେ ଏହାପରେ ଅପରାହ୍ନରେ ଜଗନ୍ନାଥ ପ୍ରଧାନ ଆସି ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିବା ବଡ ପ୍ରଶ୍ନ ସୃଷ୍ଟି କରିଛି ।

ତେବେ, ଏହା ପୂର୍ବରୁ ଭୁବନେଶ୍ୱର ମଧ୍ୟ ଆସନରୁ ବିଧାନସଭା ନିର୍ବାଚନ ଲଢିଥିଲେ ଜଗନ୍ନାଥ ପ୍ରଧାନ । ହେଲେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କଠାରୁ ଖୁବ୍ କମ୍ ଭୋଟରେ ସେ ନିର୍ବାଚନ ହାରି ଯାଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ସେ ମାତ୍ର ୩୭ ଖଣ୍ଡ ଭୋଟରେ ହାରିଯାଇଥିଲେ । ହେଲେ ଏହାପରେ ଏବେ ସେ ରାଜ୍ୟସଭା ସିଟ୍ ପାଇଁ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।