ଜଗନ୍ନାଥ ଜମିକୁ ନେଇ ବଡ଼ ଦୁର୍ନୀତି! କେନ୍ଦ୍ରାପଡ଼ା ରାଜନଗରରେ ଜଗନ୍ନାଥ ଜମି ବିକି ଦେଇଥିବା ଅଭିଯୋଗ । ଆଇନ ଆଖିରେ ଧୂଳି ଦେଇ କାରବାର ହୋଇଥିବା ସନ୍ଦେହ, କନକ ନ୍ୟୁଜ୍ ହାତରେ ଲାଗିଲା ତଥ୍ୟପ୍ରମାଣ ।

211

କନକ ବ୍ୟୁରୋ: ଜଗନ୍ନାଥ ଜମିକୁ ନେଇ ବଡ଼ ଦୁର୍ନୀତି! ତୁଳସୀକ୍ଷେତ୍ରର ରାଜନଗରରୁ ଆସିଲା ସାଂଘାତିକ ଅଭିଯୋଗ । ରାଜନଗର- ତାଳଚୁଆ ମୁଖ୍ୟରାସ୍ତା କଡରେ ଥିବା ପୁରୀର ଶ୍ରୀଜଗନ୍ନାଥଙ୍କ ଜମି । ରାଜନଗର ମୌଜା, ଖତିୟାନ ନମ୍ବର ୪୩୬ ଆଉ ପ୍ଲଟ୍ ନମ୍ବର ୭୦୩ । କିସମ ଶାରଦ ଦୁଇରେ ୧୦ ଡେସିମିଲ ଓ ପ୍ଲଟ ନଂ ୭୦୪ କିସମ ଶାରଦ ଦୁଇରେ ୨୦ ଡେସିମିଲ ଜମି ରହିଛି । ଯେଉଁଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି ।

ପଟ୍ଟାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ, ସେବାୟତ ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଥିବାବେଳେ ମାର୍ଫତଦାର ଭାବେ ଶ୍ରୀଧର ଦାଶ, ମାୟାଧର ଦାଶ, ଗଦାଧର ଦାଶ ଘର- ବଲସରପୁର, ଆଳି ରହିଛି । ବଡ଼ କଥା ହେଉଛି-ରାଜନଗର ମୌଜାରେ ରାସ୍ତା କଡରେ ଥିବା ଜମି ଡେସିମିଲ ପିଛା ୩ଲକ୍ଷ ରୁ ୪ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ମହାପ୍ରଭୁଙ୍କ ଏହି ୩୦ ଡେସିମିଲ ଜମିର ମୂଲ୍ୟ ୧କୋଟିରୁ ଉଦ୍ଧ୍ୱର୍ ଟଙ୍କା ହେବ । ଆଉ ମହାପ୍ରଭୁଙ୍କ ଏହି ମୂଲ୍ୟବାନ ଜମିକୁ ମାର୍ଫତଦାରଙ୍କ ପରିବାର ଲୋକେ ଭଦ୍ରକର ସେବତୀ ନାୟକଙ୍କୁ ମାତ୍ର ୯୦ ହଜାର ଟଙ୍କାରେ ଲିଜ ଆକାରରେ ଦେଇଥିବା ବଣ୍ଡରେ ଉଲ୍ଲେଖ ଅଛି । ଏବେ ସେହି ସ୍ଥାନରେ ସେବତୀ ନାୟକ ଏକ ବିରାଟ ଇଟା କାରଖାନା ନିର୍ମାଣ କରି ବ୍ୟବସାୟ କରୁଛନ୍ତି ।

ଆଇନ ଅନୁସାରେ ପୁରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମିକୁ ବ୍ୟବସାୟିକ ଭିତିରେ କୌଣସି ଲିଜ ଦିଆଯାଇପାରିବ ନାହିଁ । ନୋଟାରି ବଣ୍ଡ କରି ମାର୍ଫତଦାର ଅନ୍ୟ କାହାକୁ ମାର୍ଫତଦାର ହସ୍ତାନ୍ତର କରିପାରିବେ ନାହିଁ । ଏତେସବୁ ଆଇନ ଥିବାସତ୍ୱେ କିଭଳି ସେବାୟତ କନିକା ରାଜାଙ୍କ ମାର୍ଫତଦାର ଜମିକୁ ୯୦ ହଜାର ଟଙ୍କାରେ ଲିଜ ଦିଆଗଲା ଏବଂ ଏଥିପ୍ରତି କନିକା ରାଜା ଓ ପୁରୀ ମହାପ୍ରଭୁଙ୍କ ଜମି ଦାୟିତ୍ୱରେ ଥିବା ପ୍ରଶାସନର ଆଖି ପଡୁନି ତାକୁ ନେଇ ବଡ଼ ପ୍ରଶ୍ନବାଚୀ ଛିଡ଼ା ହୋଇଛି । ପୁରା ଘଟଣାକୁ ନେଇ ବଢୁଛି ସନ୍ଦେହ । କାରଣ ଏଥିରେ ଏକ ବଡ଼ ଦୁର୍ନୀତିର ଗନ୍ଧ ସ୍ପଷ୍ଟଭାବେ ବାରି ହେଉଛି ।